ଗବାକ୍ଷର ଆରପାରି
ଗବାକ୍ଷର ଆରପାରି
ଗବାକ୍ଷ ର ଆରପାରି
ସମୟ ସତେ ଯେପରି ସୁବିଧାବାଦି
ପ୍ରତ୍ୟେକ ମୁହୂର୍ତ୍ତରେ ଗନ୍ତବ୍ୟ ପଥରେ
ନୂଆଁ ସମ୍ପର୍କଟିଏ ସୃଷ୍ଟିକରି
ଯୋଡ଼ି ଦିଏ ଚଳିତ ଅଧ୍ୟାୟରେ ।
ଏ ପାରିରେ ଜୀବନ ତ ଜଞ୍ଜାଳମୟ
ଘନଘୋର ତମିସ୍ରାରେ ସଦା ଉବୁଟୁବୁ
ବାଟବଣା ହେବାର ଆଶଙ୍କା ଘାରୁଛି
ପ୍ରତ୍ୟେକ ମୁହୂର୍ତ୍ତରେ ।
ନିରାଶାର ପ୍ରତିଛବି ଭାସେ ସଦା
ହୃଦୟର ନିଭୃତ କୋଣରେ
ଦଳିତ ନିସ୍ପେଶିତ ହୋଇଥିବା
ଅବୁଝା ମନର ଅଭିଯୋଗ ଫର୍ଦରେ ।
କିନ୍ତୁ
ଗବାକ୍ଷର ଆର ପାରିରେ
ଶ୍ବେତ ଇମାରତ କୁହୁଡିର ଘରେ
ମୋ ସ୍ବପ୍ନ ଭରିଅଛି ଆକାଶ ଛାତିରେ
ବାଦଲ ଫାଙ୍କରେ ମେଘ ମେଦୁରରେ
କେବେ ପୁଞ୍ଜା ପୁଞ୍ଜା ତାରା ଗହଣରେ
ଜହ୍ନର ଜୋଚ୍ଛନା ରାତିରେ
ସଦ୍ୟ ଫୁଟା ଶେଫାଳିର
ଶ୍ବେତ ମିଶା ପିଙ୍ଗଳ ପାଖୁଡ଼ାରେ
ପ୍ରଜାପତିର ରଙ୍ଗ ବେରଙ୍ଗ ଡେଣାରେ
ସେଇଠି ତ ହଜିଯାଏ ବେଳେବେଳେ
ପ୍ରକୃତିର ନିବିଡ଼ ବାହୁ ବନ୍ଧନରେ
ମୁଁ ସପ୍ତମ ଋତୁକୁ ଖୋଜି ଅନୁଭବ କରେ
ବାର ମାସର ଛଅଟି ଋତୁରେ ।