ଗାନ୍ଧିଜୀଙ୍କ ଓଡ଼ିଶା ଠେଙ୍ଗା
ଗାନ୍ଧିଜୀଙ୍କ ଓଡ଼ିଶା ଠେଙ୍ଗା
ଗାନ୍ଧିଜୀ ଆସିଲେ ଓଡ଼ିଶାକୁ ଥରେ ସ୍ୱରାଜର ବାର୍ତ୍ତାନେଇ,
ଡେଲାଙ୍ଗ ଅଞ୍ଚଳେ ଥିବାବେଳେ ତାଙ୍କ ବାଡ଼ିକୁ ଦେଲେ ହଜେଇ |
ବାଡ଼ି ନ ଥିବାରୁ ଯିବା-ଆସିବାରେ ହେଲେ କେତେ ହଇରାଣ,
ବନ-ବିଦ୍ୟାଳୟ ଶିକ୍ଷକ ଆଚାର୍ଯ୍ୟ ବୁଝିଲେ ଦୁଃଖ କାରଣ |
କିଛି ନ ପଚାରି ନିଜ ଠେଙ୍ଗାଟିକୁ ଦେଇଦେଲେ ହରିହର,
ମୁରୁକି ହସରେ ଗ୍ରହଣ କରିଲେ ସେହି ଠେଙ୍ଗା ଉପହାର |
ଫେରିବା ବେଳକୁ ମହାତ୍ମାଗାନ୍ଧି ସେ ଠେଙ୍ଗା ଫେରାଇବା ପାଇଁ,
ଆଚାର୍ଯ୍ୟଙ୍କୁ ଡ଼ାକି କହିଲେ-“ତୁମର ଠେଙ୍ଗାଟିକୁ ରଖଭାଇ |”
ଆଚାର୍ଯ୍ୟ କହିଲେ-“ଆଉ ଗୋଟେ ଠେଙ୍ଗା ଯୋଗାଡ଼ କରିଛି ମୁହିଁ,
ଏଇ ଠେଙ୍ଗା ଖଣ୍ଡେ ଆପଣଙ୍କ ପାଖେ ଥାଉ ସବୁଦିନ ପାଇଁ |”
ଗାନ୍ଧିଜୀ ଫେରିଲେ ନିଜ ଆଶ୍ରମକୁ ବଡ଼ ଆନନ୍ଦିତ ମନେ,
ସେହି ଆଶ୍ରମରେ ଆଚାର୍ଯ୍ୟଙ୍କ ଠେଙ୍ଗା ପୁଣି ହଜିଗଲା ଦିନେ |
ବାଉଁଶ ବତାକୁ ଧରି ଚାଲୁଛନ୍ତି ଦେଖିଦେଲେ ହରିହର,
ସରସ-ସୁନ୍ଦର ଚିକ୍କଣ ବାଡ଼ିଟି କିଣିଦେଲେ ଉପହାର |
ଗାନ୍ଧିଜୀ କହିଲେ-“ଏ' ବାଡ଼ି ଖଣ୍ଡିକ ନୁହଁ ସିଏ ଠେଙ୍ଗା ପରି,
ସେ ଠେଙ୍ଗାରେ ତୁମ ସ୍ନେହ-ପ୍ରେମଭାବ ରହିଥିଲା ସତେ ଭରି |”
ଆଚାର୍ଯ୍ୟ ବୁଝିଲେ ତାଙ୍କ ମନକଥା ଦେଲେ ନିଜ ଠେଙ୍ଗା ଖଣ୍ଡେ,
ସୁନ୍ଦର ଚିକ୍କଣ ସେ ବାଡ଼ିକୁ ଧରି ଚାଲିଲେ ଆଶ୍ରମ ଦାଣ୍ଡେ |
ଦେବାର ଆନନ୍ଦ ଭରିଗଲା ମନେ ଆଚାର୍ଯ୍ୟ ଫେରିଲେ ଘର,
ପାଇବାର ସୁଖ ଲଭିଲେ ଗାନ୍ଧିଜୀ ହୃଦୟରେ କାଟି ଗାର |
ଗାନ୍ଧିଜୀ ଚାଲିଲେ ସେହିଠେଙ୍ଗା ଧରି ଜୀବନର ଶେଷଯାଏ,
କଥା ରହିଗଲା ଆଚାର୍ଯ୍ୟଙ୍କ ଦାନ ଗାନ୍ଧିକଥା ଥିବାଯାଏ |
