ଗାଁ ର ମହକ
ଗାଁ ର ମହକ


ଜଣାନାହିଁ ଗାଁ ସହିତ ମୋର କି ଭାବ ଅଛି
ଜମି-ବାଡ଼ି,ଗାଇ-ଗୋରୁ,ଛେଳି-କୁକୁଡ଼ା
ଯୋଉଠି ଦେଖେ, ମୋ ଗାଆଁ କଥା
ସେତେବେଳେ ବହୁତ ମନେପଡ଼େ
ଜମିର ହିଡ଼ ବାଟ କେତେଯେ ଅଙ୍କାବଙ୍କା
ତଥାପି ସେଇଠି ଚାଲିବାର ମଜା
ସବୁଠୁ ନିଆରା ଲାଗେ ।
ମାନୁଛି ମୋ ଗାଆଁ ଏତେ ବିକାଶ ନୁହେଁ
ତ କ'ଣ ହେଲା
ସେଠିର ସାପ୍ତାହିକ ହାଟ, ନଇ ତୁଠ
ଆଉ ଗାଁ ମୁଣ୍ଡିଆ ଗୋରୁ ଗୋଠକୁ
ସହରର ଟ୍ରାଫିକ୍ ଗହଳି ଭିତରେ
ବେଳେବେଳେ ମନେପଡ଼େ ।
ଗୋଧୂଳି ବେଳାର ସନ୍ଧ୍ୟା ଆଳତ
ି
ଖଞ୍ଜଣି ସହିତ ମୃଦଙ୍ଗ ର ତାଳ
ଚାନ୍ଦିନି ରାତିରେ ବହୁଚୋରି ଖେଳ
ନିରୋଳାରେ ବସିଲେ ସ୍ବପ୍ନ ପରି ଲାଗେ
ଏଇ ବିରିୟାନୀ ଖାଇଲା ବେଳେ
ମୋତେ ସେଠିର ବାସି ପଖାଳ
ବହୁତ ମନେପଡେ ।
ଗରମରେ ହାଲିଆ ହୋଇ
କୁଲର -ଏ.ସି ଲଗେଇ ନିଦ ନ ପଡ଼ିଲେ
ଖରାଦିନ ଦିପହରିଆ ଆମ୍ବ ଗଛମୂଳେ
ପଟାଭାଡ଼ିରେ ଲୁଡୁ଼ପଟିର ମଜା କଣ କହିବି,
ରାତିରେ ଖଳାରେ ଖଟ ପକେଇ
ତାରା ଗଣିଗଣି ତ କେବେ
ଜୁଳୁଜୁଳୁଆ ପୋକର ଦପ୍ ଦପ୍ ଆଲୁଅରେ
ରଙ୍ଗିନ ସ୍ବପ୍ନର ସମ୍ଭାର ସଜେଇବା.. ମନେପଡ଼େ ।