ସକାଳ ଶୀତ
ସକାଳ ଶୀତ
କୁହୁଡି ଚାଦର ତଳେ
ତୁଳସୀ ଚଉରା ମୂଳେ
କିଏ ସେଇ ମନମୋହିନୀ
ଓଦା ସର ସର କାନି
ତୁଣ୍ଡରେ ପବିତ୍ର ବାଣୀ
ଚଞ୍ଚଳ ରଜନୀ ପାହିନି ।
ଜହ୍ନ ଲୁଚି ନାହିଁ ଏବେ
ସୂରୁଯ ଉଇଁବ କେବେ
ଗଗନକୁ ଚାହୁଁଚି ଧୀରେ
ଶୀତଳ ପବନ ବେଗ
ପ୍ରଭାତର ଅନୁରାଗ
ଅଶାନ୍ତ ମନକୁ ଶାନ୍ତ କରେ ।
କା କା ରାବିଲାଣି କାଉ
ମଠ କରନାହିଁ ଆଉ
ଉଠ ଉଠ ଚଞ୍ଚଳ ବାବୁ
ଉଷୁମ କମ୍ବଳ ତେଜି
ପ୍ରଭୁ ନାମେ ଯାଅ ମଜି
କର କର ମନକୁ କାବୁ ।
ପ୍ରାଚୀ ଭାଗେ ପ୍ରଭାକର
ଉଠନ୍ତି ବିଛାଇ କର
କୁହୁଡି ଯିବ ଅପସରି
ଯେଝା ବୃତ୍ତିରେ ହଜିବା
ବୀଜ ନେଇ ଯେ ରୋପିବା
ହସିବ ଫସଲ ଲହରୀ ।
