ଦ୍ଵନ୍ଦ
ଦ୍ଵନ୍ଦ
ସମୟର ସାଥେ ଜୀବନର ପଥେ
ପଥର ଓ ମୋତି ମିଳେ
କାହାକୁ ରଖିବି କାହାକୁ ଛାଡିବି
ଚାଲୁଛି ଗନ୍ତବ୍ୟ ସ୍ଥଳେ ।।
ତୁଣ୍ଡେ ତୁମ ନାମ ଭାଗ୍ୟ ହେଲେ ବାମ
ଭାବେ ମୁଁ ତୁମରି ଇଚ୍ଛା
ଜଣା ଓ ଅଜଣା ହୁଏ ବାଟବଣା
କାନ୍ଦିବି କାହିଁକି ତୁଛା ।।
ଭକତିର ଭାବ ଚତୁପାର୍ଶ୍ଵ ରାବ
ମନ ମଧ୍ୟେ କୋଳାହଳ
ମସ୍ତିଷ୍କ ହୃଦୟ ରଖିଥାଏ ଲୟ
ସମୟ ଦିଅଇ ଫଳ ।।
ସବୁ ଜାଣିଶୁଣି ଅଥୟ ତ ପୁଣି
ଏ ମନ କାହିଁକି ହୁଏ
ଜୀବନର ଗତି ବିଭୁ ପଦେ ମତି
କେହିଜଣେ କହୁଥାଏ ।।
