STORYMIRROR

Pratima Satpathy

Classics

4  

Pratima Satpathy

Classics

ଶୀତ ଆସିଛି

ଶୀତ ଆସିଛି

1 min
17

ପୌଷ ଆଉ ମାଘ ଏ ଦୁଇ ମାସରେ

     ଶୀତ ଋତୁ ହୋଇଥାଏ

ଥୁରୁ ଥୂରିଆର ଥଣ୍ଡା ପବନରେ

    ଗୋଡ ହାତ ଥରିଯାଏ।


କୁହୁଡି ରାଣୀର ଧବଳ ବେଶ ରେ

    ରାସ୍ତା ଘାଟ ଦିଶେ ନାହିଁ

ଅରୁଣ କିରଣ ଛୁଇଁଲେ ଧରାକୁ

    ତିମିର ନାଶ ହୁଅଇ।


ଶୀତର ସ୍ପର୍ଶରେ ବୁଢ଼ା ବୁଢ଼ୀ ଙ୍କର 

    ରେଜେଇ କମ୍ବଳ ଲୋଡା 

ଶୀତର ପ୍ରକୋପ ତାଙ୍କ ପରେ ବେଶୀ

    ଧୁନିରେ ଚାଲେ ଆଖଡ଼ା।


ନିଆଁ ଜାଳି ଦେଇ ଗପ ସପ ହୋଇ

     ଚାହା ଓ କଫି ପିଅନ୍ତି

ସକାଳ ସୂର୍ଯ୍ୟଙ୍କ କିରଣରେ ବସି

    ଆରାମ କରିଥାଆନ୍ତି।


ଟୋପି ସୁଇଟର ଚାଦର ଆଦର

    ହୋଇଥାଏ ସଭିଙ୍କର

ଗରମ ଗରମ ଖାଦ୍ୟ ଖାଇବାକୁ 

   ଲାଗିଥାଏ ଭାରି ଭଲ।


ଶୀତସ୍ପର୍ଶ ପାଇ ସବୁଜ ସମ୍ଭାରେ 

    ପୃଥିବୀ ହୁଏ ଶୋଭିତ 

ସୁନାର ଫସଲେ ହସି ଉଠଇ ଯେ 

    ଚାଷୀ ଭାଇ ସୁନା କ୍ଷେତ।


ଜାଇ ଯୁଇ ହେନା ଟଗର ମନ୍ଦାର

    ଗଙ୍ଗଶିଉଳି ବାସ୍ନାରେ

ଫୁଲରୁ ଫୁଲକୁ ଉଡି ମହୁମାଛି

    ମଧୁ ପିଅନ୍ତି ହର୍ଷରେ।


ବାଡି ବଗିଚାରେ ଗେଣ୍ଡୁ ଫୁଲ ଫୁଟେ

    ସରସ୍ଵତୀ ଙ୍କୁ ପୁଜନ୍ତି

ସକାଳ କୁହୁଡି ଘାସ ପଡ଼ିଆରେ

    ମୁକ୍ତା ସମ ଝଟକନ୍ତି।


ସୋରିଷ କ୍ଷେତରେ ସୁନାର ଲହରୀ

    ଚମ୍ପକ ବରନ ଆଭା

ମନ୍ତ୍ର ମୁଗ୍ଧ କରେ ମନ ହୃଦୟକୁ

    ସୁନ୍ଦର ବର୍ଣ୍ଣାଳୀ ବିଭା।


ପବନ ଦୋଳିରେ ପାଚି ଧାନକେଣ୍ଡା

    ଦୋଳି ଖେଳେ ଯେତେବେଳେ

ସୁନେଲି କିରଣେ ସୁନୀଳ ଆଭା ରେ

     ଅନୁରାଗ ଶୀତ ଢାଳେ।


ମହାଲକ୍ଷ୍ମୀ ପୂଜା ପ୍ରଥମାଷ୍ଟମୀ ଯେ

     ଶୀତ ଦିନରେ ପଡ଼ଇ

ଧନୁ ସଂକ୍ରାନ୍ତିରୁ ପହିଲି ଭୋଗଟି

     ଶ୍ରୀମନ୍ଦିରେ ହୋଇଥାଇ।


ବଉଳ ଅମାବାସ୍ୟା ,ଶାମ୍ବ ଦଶମୀ

   ମକର ସକ୍ରାନ୍ତି ପର୍ବ

ପୌଷ ପୂର୍ଣ୍ଣମୀରେ ପ୍ରଭୁ ରାମଚନ୍ଦ୍ର

    ହୋଇଥିଲେ ଅଭିଷେକ।


ଅଗିଜଳିଲେ ଯେ ଶୀତ ଚାଲିଯାଏ

    ଲୋକ କଥା ରହିଅଛି 

ଶୀତ ସକାଳରେ ବ୍ୟାୟାମ କରିଲେ

    ରୋଗ ହେବନାହିଁ କିଛି ।


କର୍ମବୀର ହୋଇଥାଏ ଯେଉଁ ନର

    ଶୀତ କୁ ନ ଥାଏ ଡର

ଅଳସୁଆ ହୋଇ ଘରେ ବସିଗଲେ

   ଶୀତ ହୋଇଥାଏ ଜୋର୍।


ଶୀତ ଋତୁ ପରେ ବସନ୍ତ ଓ ଗ୍ରୀଷ୍ମ

    ବର୍ଷା, ଶିଶିର ହେମନ୍ତ

ପୃଥିବୀର ପରିକ୍ରମଣ ଗତିରେ

    ଆସିଥାଏ ଋତୁଚକ୍ର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics