ଫେରିବାର ରାସ୍ତା ବନ୍ଦ
ଫେରିବାର ରାସ୍ତା ବନ୍ଦ
ଭୂଇଁ ଛୁଇଁଲି
ଛୁଇଁଲି ତୋ ଛାତି
ରଗଡ଼ିଲି
ଠୋପେ ଅମୃତ ପାଇଁ
ସେବେଠୁ ସଂଘର୍ଷ କଲି
ବଞ୍ଚିବା ପାଇଁ
ତୋ ଛାତିରୁ କିନ୍ତୁ ଝରୁ ନଥିଲା ଅମୃତ
ଶୁଖା ଖଡ୍ ଖଡ୍ ତୋ ଛାତି
ସେମାନେ ଛାଡି ନାହାନ୍ତି
ବୁନ୍ଦେ ଜୀଇଁବା ଭୋକ
ତୁ ଖାଇ ନାହୁଁ
କେଜାଣି କେବେଠୁ ?
ତଥାପି
ମୋତେ ତୁ ଚାପି ଧରି ତୋ ଛାତିରେ
କହିଲୁ
ସକାଳ ହେବାକୁ ଆହୁରି କେତେ ସମୟ
ବାକି ଅଛି ଧନ
ଶୋଇପଡ
ଭୋକିଲା ପେଟରେ
ମୋ ଛାତି ନିଃଶ୍ୱାସ ହେଉ
ତୋ ସଂଜୀବନୀ।
ଚାଲି ଶିଖିଲି
ତୋ ଛାତିରେ ଭାରି ଭାରି ପାଦ ପକେଇ
ତୁ ଟିଆରିଲୁ ମୋତେ
ଭୋକ ହିନ ପୃଥିବୀର
ବାଦଶାହା ହେବା ପାଇଁ
ମୁଁ କେଉଁ ଶୁଣିଲି ନା ମାନିଲି ତୋ କଥା!
ଦୌଡ଼ିଲି ଭୋକ ପାଖକୁ
ଭୋକ ଖାଇବାକୁ।
ଏବେ ଚାଲିବା ଛାଡି ଦୌଡୁଛି ମୁଁ
ତୋ ଛାତି ପୃଥିବୀ ଠାରୁ
ଢେର୍ ଦୁରେ
ଭୋକ ମୋତେ ଖାଇ ଦେଲାଣି
ଫେରିବାର ରାସ୍ତା ବନ୍ଦ
ତୋ ସଂଜୀବନୀ
ଲୋଡ଼ା ମୋର
କିନ୍ତୁ ତୁ କୁଆଡେ !
ବାସ୍ ! ସେବେଠୁ ଖୋଜୁଛି ତୋତେ
ରାଜମାତା
ତୋ ଭୋକ ସମ୍ରାଟ
ଯେତେ ସବୁ ଅନ୍ୟାୟ ଆନ୍ଧାରେ।