ଏତିକି ଅଭିପ୍ରାୟ
ଏତିକି ଅଭିପ୍ରାୟ
ଯଦି କେବେ ଜୀବନର
ଜଞାଳରୁ ଫୁରସତ୍ ମିଳିବ
ସେଥିରୁ ଟିକିଏ ସମୟ
ମୋ ପାଇଁ ବାହାର କରିବ
ସାଥିରେ ମୋବାଇଲ ଅବା
ଖବର କାଗଜ ନଥିବ
ମୋ ସାଥୀରେ ବାଲକୋନୀର
ଦୋଳିରେ ବସିବ
ପୂର୍ବ ଭଳି ମୋ ମଥାରେ
ହାତ ବୁଲାଇ ଆଣିବ
ମୋତେ ଆଦରରେ ଥରେ
ପାଗଲୁ ବୋଲି ଡାକିବ ।।
ଯଦି କେବେ ଜୀବନ ଜଞାଳରୁ
ଫୁରସତ୍ ମିଳିବ
ତମେ କିଛି କହିବ, ମୁଁ କିଛି କହିବି
ନିଜ କଥା କହି ଶୁଣି
କେବେ ହସ କେବେ ଲୁହ ପୁଣି
ସାଙ୍ଗ ହୋଇ ପୋଛିବା
ପ୍ରେମର କିଛି ଆଳାପ ସହିତ
ଖଟାମିଠା ସ୍ମୃତି ବଖାଣିବା
ସମୟ ସୁଅରେ ବିତିଗଲା ଦିନ
ଆଉ ହଜିଗଲା ବୟସର
ହିସାବ ସାଥି ହୋଇ କରିବା ।।
ଯଦି କେବେ ଜୀବନ ଜଞାଳରୁ
ଫୁରସତ୍ ମିଳିବ
ସେହିଦିନ ସବୁ କେମିତି ଥିଲା
ନିଜ ନିଜ ବ୍ୟସ୍ତତାକୁ
ଦୁହେଁ ବଖାଣିବା
ସଂସାରର ଅଙ୍କା ବଙ୍କା ରାସ୍ତାରେ
ପଥ ଚାଲୁଚାଲୁ
କେତେ କ'ଣ ପାଇଲେ
ଆଉ କ'ଣ ହରାଇଲେ
ଯାତ୍ରାର ଅନୁଭବ
ନିଜ ସାଥେ ବାଣ୍ଟିବା ।।