ଗାଁ ପୁଷ୍କରିଣୀ
ଗାଁ ପୁଷ୍କରିଣୀ
ଗାଁ ପୁଷ୍କରିଣୀ ପାଖ ଦେଇ ଗଲେ
ଅତୀତ ମୁହଁ ଦେଖାଏ
ସ୍ମୃତି ବିସ୍ମୃତିର ଅତଳ ଗର୍ଭରେ
ଲୀନ ହୋଇ ହୋଇ ଯାଏ ।
ଚଉପାଶ ଥିଲା କେତେ ନିରିମଳ
କାଚ଼କେନ୍ଦୁ ପାଣି ଭରା
ସେ ପାଣିରେ ବଗ ଧ୍ୟାନ କରୁଥିଲେ
ମୀନ ମାରୁ ଥିଲେ ଡିଆଁ ।
ରାତି ନ ପାହୁଣୁ ମୋ ଗାଁର ବଧୂ
କାଖରେ କଳସି ଧରି
ସ୍ନାନ କରିବାକୁ ମେଳ ହୋଇ ଯାନ୍ତି
କର୍ତ୍ତବ୍ୟ ଆହ୍ୱାନ ନେଇ ।
ଗାଁ ପୁଷ୍କରିଣୀ ପ୍ରତି ପାହାଚ ଯେ
ପାଦ ଅଳତାରେ ମଖା
ତୁଠ ନିରିମଳ ମନ ନିରିମଳ
ଭାବ ଥିଲା ସ୍ନେହ ମଖା ।
ଗାଁ ପୁଷ୍କରିଣୀ ନିରିମଳ ଜଳେ
ଏକତା ର ପ୍ରତିବିମ୍ବ
ପୁଷ୍କରିଣୀ ଥିଲା କେତେ ଯେ ସୁନ୍ଦର
ଜଳ ଥିଲା ନିରିମଳ ।
ସ୍ନାନ ସାରି ବଧୂ କାଖେ ଗରା ଧରି
ଠାକୁରେ ପ୍ରଣାମ କରେ
ପୋଖରୀ ହୁଡାରୁ ହାତେ ଫୁଲ ଧରି
ଫେରଇ ନିଜ ମନ୍ଦିରେ ।
ପିଲାଙ୍କ ମେଳରେ ପହଁରା ଖେଳରେ
ଗାଁ ପୁଷ୍କରିଣୀ ଭରା
ଦେଖି ଦେଉଥିଲେ ମନ ପୁରୁ ଥିଲା
ମନ ଥିଲା ହରା ଭରା ।
ଗାଆଁ ର ପ୍ରତିଟି ଶିରା ପ୍ରଶିରାରେ
ଭରିଥିଲା ଆତ୍ମୀୟତା
ପୁଷ୍କରିଣୀ ଥିଲା ଗାଁ ଆକର୍ଷଣ
ମନରୁ ଲିଭେନି ଜମା ।
ଗାଁ ପୁଷ୍କରିଣୀ ମାନ ହରାଇଛି
ଅରମା ଯେ ଚତୁର୍ପାଶ୍ୱ
ସତେ ଅବା ସିଏ ହାରି ଯାଇଅଛି
ହରାଇଛି ତା ବିଶ୍ୱାସ ।
