ଗାଆଁ ଫେରିଆ ପୁଅ
ଗାଆଁ ଫେରିଆ ପୁଅ
ସହର ଆଡ଼କୁ ମୁହାଁନ୍ତି ସଭିଏଁ
ଗାଆଁକୁ ଫେରେନି ପୁଅ
ପଣତକୁ ପାତି ପୁକାରୁଛି ଗାଆଁ
ଝରାଏ ଆଖିରୁ ଲୁହ ।
ଦିଶେ ନିରିମାଖି ତା ଘର ଅଗଣା
ଖେତବାଡି ହାଣ୍ଡିଶାଳ
କାହ୍ନୁପୁଅ ବିନା ଶୂନ୍ୟ ଦଶଦିଶ
ହତଶିରୀ ଗୋପପୁର ।
ଗାଆଁ ଆମ୍ବତୋଟା ଲାଗେ ହଟହଟା
ଆବର୍ଜନା ନଈକୂଳ
ଗାଆଁ ପୋଖରୀରେ ଫୁଟୁ ନାହିଁ କଇଁ
ମାଡେ ଅନାବନା ଦଳ ।
ଫୁଟୁନାହିଁ ଫୁଲ ବଗିଚା ଗଛରେ
ଉଡୁ ନାହିଁ ପ୍ରଜାପତି
ସଞ୍ଜ ନଇଁଗଲେ ପଡୁଅଛି ତାଟି
ଘୋଟୁଛି ଅନ୍ଧାର ରାତି ।
ମୋ ଗାଆଁର ମାଟି କାନ୍ଦୁଛି ବାହୁନି
ଝୁରୁଛି ମାଆ ହୃଦୟ
ଭୁଲି ଯାଅ ନାହିଁ ପ୍ରିୟ ମୋ ସନ୍ତାନ
ଗାଆଁକୁ ଫେରି ଆ ପୁଅ ।
ଗାଆଁ ପୁଅ ଫେରି ଆ ତୁ ଗାଆଁକୁ
ପୋଛିଦେ ଆଖିରୁ ଲୁହ
ହସିଲେ ଜୀବନ ହସିବ ଗାଆଁଟି
ମମତା ଅମୂଲ ମୂଲ୍ୟ ।