ଗାଆଁ ମୋର ଖାଁ ଖାଁ
ଗାଆଁ ମୋର ଖାଁ ଖାଁ
ଗାଆଁ ଲାଗେ ଆଜି ଖାଁ ଖାଁ ସର୍ବେ ବସିଲେଣି ସହରରେ
ପାଠ ପଢି ଯିଏ (ଅ)ମଣିଷ ହୋଇଲା କି କାମ ତା'ର ଗାଆଁରେ !
ହାଇ ସୋସାଇଟି ଗାଆଁ କି ବୁଝିବ କାର୍ପଣ ମାନ ଦେବାରେ
ଯୁ ନାହିଁ ଯା'ର ଗାଆଁରେ ପଡିଛି ମଦ ଟିକେ ଭରଷାରେ ।
ଚାଷବିଲ ଆଜି ପଡିଆ ପଡିଛି ଅଭାବୀ ବିକ୍ରି ଧାନର
ହାଇବ୍ରିଡ଼ ପନିପରିବା ଫଳୁଛି ନାହିଁ ଜୈବ ଖତ ସାର ।
ବଳଦ ଲଙ୍ଗଳ କେବେଠୁ ଗଲାଣି ଜହ୍ନି କାକୁଡିର ଲଟା
ଇନ୍ଦିରା ଆବାସ ଦି ବଖୁରିଆ କାନ୍ଥ ନାହିଁ ମାଟି ଛଟା !
ଗାଇ ନାହିଁ ଗାଇଆଳ କାହୁଁ ଥିବେ ହମ୍ବା ରଡି ପ୍ରଦୋଷର
ପୋଖରୀରେ ଆଉ ମାଛ ଖେଳୁନାହିଁ କାହୁଁ ବା ଆସିବେ ଚିଲ !
ହଳଦୀ ବସନ୍ତ ଗଛରେ ବସୁନି ନଶୁଭେ କୋଇଲି କୁହୁ
କୁମ୍ଭାଟୁଆ ଡାକ କୁକୁଡା କ କ କ ନିଦ ଭାଙ୍ଗୁନାହିଁ ଆଉ ।
ଫଣୀ ବାତ୍ୟା କଲା ସହର ଶ୍ରୀହୀନ ପାଣି ନ ମିଳିଲା ଯହୁଁ
ବାପା ମାଆ କଥା ମନେ ପକାଇଲେ ହାଇ ପ୍ରୋଫାଇଲ୍ ବୋହୁ ।
ସହରେ ମାଡିଲା କରୋନା ଭାଇରସ୍ ଗାଆଁକୁ ଝୁରିଲେ ବାବୁ
ଗାଆଁ ଦଶା ଦେଖି ତଦୃପ ଭାବନ୍ତି ଆଉ କି ଫେରି ଆସିବୁ !
ଯେଉଁ ଗାଆଁ ଶିକ୍ଷା ସଂସ୍କାର ଗଢିଲା ଆମକୁ ମଣିଷ କରି
ହାଇ ସୋସାଇଟି ଭୁଲାଇଲା ତାକୁ ଭୁଲି ଗଲେ ନର୍କ ପରି ।
ସହଜେ ଗାଆଁରେ ରାଜନୀତି ଖେଳ ବିଷ ମଞ୍ଜି ବୁଣେ ଖରେ
ଭାଇ ଭାଇ ଭୁଲି ହତିଆର ଧରି ଉଠିଲେଣି ଘରେ ଘରେ।
ଭାଗବତ ଟୁଙ୍ଗି ମାଟି କାମୁଡିଛି କ୍ଲବ୍ ଘରେ ଭିଡ ଜମୁଛି
ରାଜନୀତିଆଙ୍କ ପିଛା ଧରିଥିଲେ ପକେଟ ଗରମ ହଉଛି ।
ଏ ଦେଶର ଆତ୍ମା ଗାଆଁରେ ରହିଛି ବାପୁ ଦେଇଥିଲେ ବାର୍ତ୍ତା
ଅଣ ନିଶ୍ୱାସୀ ସହରୀକରଣ ଗାଆଁ କୁ କଲା ହୀନସ୍ତା।
କଂକ୍ରିଟ୍ ଜଙ୍ଗଲ ପିଚୁ ଚାରିଆଡ ପବନ ପଶେନା ଘରେ
ତଥାପି ସଭିଏଁ ସହର ଧାବନ୍ତି ଗାଆଁ ଖାଁ ଖାଁ ଧରେ !