STORYMIRROR

Kulamani Sarangi

Abstract

2  

Kulamani Sarangi

Abstract

ଏମିତି ଥିଲା ସେ ରଜ ଯାତରା

ଏମିତି ଥିଲା ସେ ରଜ ଯାତରା

1 min
3.0K


ବରଷକେ ଥରେ ରଜ ଲୋ, ସଜବାଜ ମଉଜ, 

ଫୁଲେଇ ଛୋପରୀ ବଉଳ,କେତେ ହଉଚୁ ସଜ।


ବେଳ ବୁଡିବୁଡି ଯାଉଚି, ଦିଶେ ଆକାଶ ନାଲି, 

ରଜ ଯାତରାକୁ ଯିବାଲୋ, ପକା ପହଣ୍ଡ-ଚାଲି।


ଗାଁ'ମୁଣ୍ଡେ ବଡ ମେଳଣ, ଉମାଦେଇ ଦେଉଳ,

ଗଛରେ ଝୁଲୁଚି ଦୋଳିଲୋ ,ଆଜି ଖେଳିବା ଚାଲ।


କେତେ ନାଲି-ନେଳି ରିବନ, ଶଙ୍ଖା ଭଳିକି ଭଳି,

ପଡିଚି ଦୋକାନ ଶୁଭୁଚି, ଡାକବାଜି ଗହଳି।


ହୁକେ ହୋ କଲା ବିଲୁଆ, ହାଟବାଟି ତୋଟାରେ, 

ଆଲୁଅ ରୋଶଣି ଜଳିଲା, ଉମାଦେଈ ପୀଠରେ।


ଦେଖ ବୁଢାବୁଢୀ ନାଚ ଲୋ, ଘୋଡାନାଚକୁ ଅନା, 

ବାଘ ବେଶ ହେଇ ଡେଉଁଚି, ଦେଖ ପଦିଆ ନନା ।


ରଜଦୋଳି ଖେଳ ସରିଲା, ଆସ ବଉଳ,ମିତ,

ଗୁପୁଚୁପୁ ଦଶଟଙ୍କାର, ଖାଇବା ଲୋ ସଙ୍ଗାତ।


ଝାଲମୁଢି ବଡ ରାଗ ଲୋ, ଲୁହ ଯାଉଚି ବୋହି,

ରସିକିଆ ଟୋକା ଉଣ୍ଡୁଚି, କାନ୍ଥ କଡରେ ଥାଇ।


ବାଆ ଆଣିଚି ମୋ ରଜକୁ, ନୂଆଗଡ କୁରୁତି, 

ଚହଟ ନାଲିଆ ରଙ୍ଗ ଲୋ, ଓଢଣୀ ପାଞ୍ଚହାତି। 


ମାମୁଁ ଆଣିଚନ୍ତି ପଣସ , ଗୋଟାସାରା ପୋଚରା, 

ଆଈ ପଠେଇଚି କଲମୀ-ଆମ୍ବ,ମୁଢି,କାକେରା ।


ନୂଆବୋହୂ ନାଇ ଦେଇଚି ଗୋଡେ ଅଳତା ଧାରେ

ବିଡିଆ-ପାନରୁ ଖଣ୍ଡିଏ ଗୁଞ୍ଜିଦେଇ ପାଟିରେ।


ପୋଡପିଠା ମାଆ କରିଚି ଦେଇ ନଡିଆ ପୁର,

କଦଳି ପାଟୁକା ଦେଇଚି ବାନ୍ଧି ଗୋଡରେ ମୋର।


 ପାଣି ଝରେ ଟିପିଟିପି ଲୋ ଆହା ! କି ଗୁଳୁଗୁଳି,

ଭିଜିଗଲାଣି ମୋ କୁରୁତି ଚାଲ ଘରକୁ ଫେରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract