ଏମିତି ମିଛୁଆ ମୁହିଁ
ଏମିତି ମିଛୁଆ ମୁହିଁ
ସପ୍ତାହରେ ଦୁଇପାଳି ସିନା ମୁହିଁ
ହାଟ କରିବାକୁ ଯାଏ,
ସବୁଥର ଚଢା ରେଏଟରେ କିଣି
ଶସ୍ତା ବୋଲି ଘରେ କୁହେ
ଶସ୍ତାରେ ଆଣିଛି ଭଲ ପରିବା ମୁଁ
ଦେଖି ସିଏ ଖୁସି ହୁଏ,
କାଢୁଆ ଗେରସ୍ତ ବୋଲି ତା' ପାଖରେ
ଖାତିରି ମୋ ବଢ଼ିଯାଏ
କିନ୍ତୁ ମୋ ଅନ୍ତର କଥାଟାକୁ ଏକା
ଅନ୍ତର୍ଯ୍ୟାମୀ ହିଁ ଜାଣଇ
ଏମିତି ମିଛୁଆ ମୁହିଁ ।
ପଇସା ମୋହର କାର୍ଯ୍ୟ ବି ମୋହର
ମୋତେ କାହିଁ ଲାଗେ ଡର,
ପୋକା ପଚା ଯଦି ଭୁଲ୍ରେ ଆଣେ
ପିଠି ଚୋପା ଛାଡ଼େ ମୋର
ମେଡ଼ିସିନ ପାଇଁ ଯାଏ ଯେବେ ମୁହିଁ
ସେଥିରୁ କିଛି ମୁଁ ମାରେ,
ଘରେ ପଚାରିଲେ ଦାମ୍ଟି ଅଧିକ
କହିଥାଏ ସେତେବେଳେ,
ସେଇ ପଇସାରେ ଲିପ୍ଷ୍ଟିକ୍ କ୍ରୀମ୍
ଆଣେ ପୁଣି ତା'ପାଇଁ
ଏମିତି ମିଛୁଆ ମୁହିଁ ।
ଚା' ଖଟିବେଳେ ସାଙ୍ଗସାଥୀ ମେଳେ
ମୋସ୍ତ୍ରୀକୁ ଟେକୁଥାଏ,
ହେଉ ପଛେ କାଣୀ ହେମାମାଳିନୀର
ମାନ୍ୟତା ମୁଁ ତାକୁ ଦିଏ
ମୋ ସାଙ୍ଗ ମାନେ ମୋ କଥା ଶୁଣି
ଫେଁ ଫେଁ ହସୁଥାନ୍ତି,
ମୋର କିନ୍ତୁ ଏହି ଫୁଟାଣି ଗପିବା
ଆଗରୁ ଅଭ୍ୟାସ ଅଛି
ଘରଣୀ ମୋହର କେଉଁ କିସମର
ମୋ ଆତ୍ମା ଏକା ଜାଣଇ,
ଏମିତି ମିଛୁଆ ମୁହିଁ ।
କୋଟିରେ ଗୋଟିଏ ସେହି ରାଆବାଳି
କଳିପ୍ରିୟ କ୍ଷଣକୋପି,
ସର୍ବଦା ମୋହର ଭୁଲ୍ ଦେଖେକେବେ
ତା' ଦୋଷ ପାରେନା ଦେଖି।
ଦେଖିବାକୁ ଗଲେ ଦୁନିଆଁରେ କେହି
ଏମତିକା ସ୍ଵାମୀ ନାହିଁ,
ଘରକରି ନିଜ ଘରଣୀକୁ କେବେ
ସିଏ ଜମା ଡରେ ନାହିଁ।
ତେଣୁ ବୋଲକରା ହେଇ ମୁଁ ତାହାର
ମହିମା ଗାଇ ବୁଲଇ
ଏମିତି ମିଛୁଆ ମୁହିଁ ।
ଡେଲି ତା' ତାଗିଦ୍ କୋଉ ଲେଡିଜକୁ
ଫୋନ୍ ଆଜି କରିଛ କି,
ବାଟରେ ଗାଡ଼ିରେ କୋଉ ଲେଡିଜ୍କୁ
ଲିଇଫ୍ଟ ଦେଇଅଛ କି
ପ୍ରକୃତରେ ଏହି ଦୋଷ ଅଛି ମୋର
ନାରୀଙ୍କ ସହ ମୁଁ ଗପେ,
ସୁନ୍ଦରୀ ମାନଙ୍କୁ ଗାଡ଼ିରେ ବସାଏ
ଦେଖେ ଯେବେ ତାଙ୍କୁ ବାଟେ,
ଘରଣୀ ଆଗରେ ଏକଥାକୁ ଫାଙ୍କି
ଦିଏ ମୁଁ ଭୂଆଁ ବୁଲେଇ,
ଏମିତି ମିଛୁଆ ମୁହିଁ ।
ଏକଥା ବି ଠିକ୍ ସୁନ୍ଦରୀ ଲେଡିଜି
ଫୋନ୍ ଯଦି କରୁଥାନ୍ତି,
ଘଣ୍ଟା ଘଣ୍ଟା ଧରି ଗପି ତାଙ୍କ ସହ
ପାଉଥାଏ ଆତ୍ମତୃପ୍ତି
ଯଦି ସେତେବେଳେ କେଉଁ ପୁରୁଷର
କଲ୍ଟି ଆସୁଥାଏ,
ପରେ କଥା ହେବି ସମୟ ଦେଖିକି
ତାକୁ ମୁଁ ଭୂଆଁ ବୁଲାଏ
ଏଭଳି ସମୟେ ଯଦି ଷଣ୍ଢ ପଶେ
ଭାରି ଚିଡିଯାଏ ମୁହିଁ
ଏମିତି ମିଛୁଆ ମୁହିଁ ।
ସାହିତ୍ୟ ଆସର ଯେବେ ଯାଏ ମୁହିଁ
କବିତା ସେଠାରେ ପଢେ,
ବଡ଼ ବଡ଼ କବି ମାନଙ୍କ ପାଖରେ
ମୁଁ ଥାଏ ଶେଷ ନମ୍ଵରେ
ମୋ କବିତାକୁ କେହି ଶୁଣନ୍ତିନି
ତେଣୁ ମନ ଦୁଃଖେ ଫେରେ ,
ସ୍ତ୍ରୀ ଆଗେ କୁହେ ହେଲା ତାଳିମାଡ
କେବଳ ମୋ କବିତାରେ
ଆଜିକା ଯୁଗରେ ମୋ ଭଳି କବିଟି
ଖୋଜିଲେ ପାଇବ ନାହିଁ,
ଏମିତି ମିଛୁଆ ମୁହିଁ ।
ସ୍ତ୍ରୀପିଲା ଛୁଆଙ୍କୁ ଖୁସିରଖିବାକୁ
ମିଛ ଆଶ୍ରୟ ମୁଁ ନିଏ,
ଘରଣୀର ଝାଡ଼ୁ ପାହାରକୁ ପରା
ପ୍ରାଣେ ଭୟ ମୋର ଥାଏ
ସ୍ଵାଧୀନ ଭାରତ ବର୍ଷେ ମୁହିଁ ଏକ
ପରାଧୀନ ଜୀବଟିଏ,
ବହୁବାର ମିଛ କହେ ଏଥିପାଇଁ
ମାୟାମୋହେ ପଡ଼ିଥାଏ
ତେଣୁ ଅଭିନୟ କରି ବଞ୍ଚେ ମୁହିଁ
ସ୍ତ୍ରୀ ମନ ନେବାପାଇଁ,
ଏମିତି ମିଛୁଆ ମୁହିଁ ।
