STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ଏକେଲା ଚାଲ!

ଏକେଲା ଚାଲ!

2 mins
319


ଜୀବନର ସୁଦୀର୍ଘ ଚଲାପଥରେ

ଚାଲିବା ପାଇଁକି ସାଥିଟିଏ

ଅବା ସହଯାତ୍ରୀଟିଏ

କଣ ନିହାତି ଦରକାର

ଅନିର୍ବାର୍ଯ୍ଯ ଏକାନ୍ତ ଅପରିହାର୍ଯ୍ୟ

ଏଇ ଜୀବ ଶ୍ରେଷ୍ଠ ମଣିଷର?

ହୁଏତ ନୁହେଁ!

ଚାଲିବାକୁ ତ ହେବ ଆପଣାକୁ

ପୁଣି ନିଜ ପାଦ ଦୁଇଟିରେ

କାହିଁ ବା କାହାର ସାହାରା

ଆମକୁ ହେବ ଦରକାର?

ଜନମ ମରଣ ତ ଭିନ୍ନ ପୃଥକ

କାହାର ଚାହିଁବା ନଚାହିଁବାରେ

ଏଠି କିଛି ବି ପଡ଼େନି ଫରକ

ଆପଣାର କର୍ମ ଘେନି ଚାଲିବାକୁ ହେବ

ଥିବା ଯାଏଁ ଶେଷ ଶ୍ବାସର ସ୍ପନ୍ଦନ

ମୋକ୍ଷ ପ୍ରାପ୍ତିର ପର୍ଯ୍ୟନ୍ତ

କରିବାକୁ ଜନ୍ମ-ଜୀବନ ସାର୍ଥକ!

ଚାଲି ଶିଖିବା ବେଳେ

ନଥିଲା ତ କେହି ସାଥି

ପୁଣି ଚାଲିବାକୁ କହ କିଆଁ

ଲୋଡ଼ା ସାହଚର୍ଯ୍ଯ କାହାର?

ଏକେଲା ହିଁ ଚାଲିବାକୁ ହେବ

ଏଇ ଦୁର୍ଗମ ଦନ୍ତୁରିତ ପଥ

ତେବେ ଯାଇ ମିଳିବ

ପରମ ଉଚ୍ଛ୍ଵାସ ଶାଶ୍ୱତ ସନ୍ତୋଷ!

ଭୀଡ଼ରେ ସଭିଙ୍କ ସାଥିରେ

ସୁଅ ମୁହଁର ପତର ପରି

ବାହ୍ୟ ଶକ୍ତିର ଆଧାରରେ

ଚାଲିବାରେ ଅଛି

ଅବା କେଉଁ ଗୌରବ?

କି ମହତ ଅନୁଭବ?

ଯଦି ଅମଡ଼ାବାଟରେ

ଏକାକୀ ଚାଲି ପାରିବ ନାହିଁ

ନିଜ ପଥ ନିଜେ ଗଢି

ପାରିବାର ସାମର୍ଥ୍ୟ ନାହିଁ

ଦୁନିଆ ଅବା ତୁମ୍ଭକୁ ଚିହ୍ନିବ

ବା କାହିଁ ପାଇଁ?

କି ଅବା ସ୍ବାତନ୍ତ୍ର୍ଯ ତୁମ୍ଭର?

ତୁମ୍ଭେ ତ ଗଣତି ସଂଖ୍ୟାର!

ଆଖପାଖ ଦୁଇ ଚାରି ତୁଣ୍ଡରୁ ନିସୃତ

'ଏକସିଂଘୀଆ' ଅବା 'ସ୍ବାର୍ଥପର'

ବିଶେଷଣରେ ବର୍ଣ୍ଣିତ

ଆଖ୍ୟାରେ ଆଖ୍ୟାୟିତ

ଶ୍ରୁତିକଟୁ କଥାକୁ କି ଡର?

ଅନେକ କଥା ତ କହିବ ଦୁନିଆ

ଆନର ମାମଲାରେ ଅନଧିକାର

କଥା କହିବାଟା ଏଠି ସଭିଙ୍କର

ଏକଚାଟିଆ ଜନ୍ମସିଦ୍ଧ ଅଧିକାର!

ଏଇ କଥାରେ କି ଆମେ ଜୀଇଁବା?

ଏଇ କଥାରେ କି ମରିବା?

ଏଇ କଥାରେ କି ବାଟ ଚାଲିବା?

ଏଇ କଥାରେ କି ଏଇଠି ରହିଯିବା?

ବାରେ ଆହ୍ବାନ ଦିଅ ତ ଏଇ ଲୋକଙ୍କୁ

ସାଥିରେ ତୁମ୍ଭର କିଛିବାଟ ଚାଲିବାକୁ

ବିଶ୍ବାସୀ ସହଯାତ୍ରୀଟିଏ ସାଜି

ମହତ ନୀତି ଆଦର୍ଶରେ ତୁମ୍ଭର

ଅନୁପ୍ରାଣିତ ହୋଇ ଜୀଇଁବାକୁ

ଜୀବନର କେତୋଟି ପ୍ରହର

ଦେଖିବ ମିଳିବ କି କି ପ୍ରତ୍ୟୁତ୍ତର

କୁତ୍ସିତ କଦର୍ଯ୍ୟ କିମ୍ଭୁତ କିମାକାର!

ଏକେଲା ଚାଲିବାଟା ହିଁ ଏଠିକାର

ଶ୍ରେଷ୍ଠ ନୀତି ସର୍ବୋତ ଶ୍ରେୟସ୍କର

ଚିରନ୍ତନ ମନେ ଧ୍ୟାୟି ପରାତ୍ପର

ଲଭିବାକୁ ସୁଖ ଶାନ୍ତି ଆଦି ସମ୍ପଦର

ଶାଶ୍ୱତ ଅବିନାଶୀ ବିମଳ ନିର୍ଝର!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract