ଏକାକୀର ମହାଯାତ୍ରା
ଏକାକୀର ମହାଯାତ୍ରା
ସମୟ କଣ୍ଟାରେ ଚାଲିବାକୁ ଗରଳ ପିଇବାକୁ
ପଥରେ ପଥର ପଡ଼ିଲେ ତାକୁ ସହିବାକୁ
ଯନ୍ତ୍ରଣାର ବାଲିଯାତ୍ରାରେ ଦୋଳି ଖେଳିବାକୁ
ଦୁଃଖର କୁମ୍ଭମେଳାରେ କେବେ ହଜିବାକୁ
ଜୀବନକୁ ଅତି ନିକଟରୁ ସ୍ୱଚ୍ଛ ଦେଖିବାକୁ
ପ୍ରକୃତ ସୁଖର ଐଶରୀୟ ଆନନ୍ଦ ପାଇବାକୁ
ଭିଡ଼ର ବିଭିନ୍ନ ବଜାରରେ ଜୀବନ ସଉଦା ପାଇଁ
ଏକାକୀର ଏ ଜର୍ଜରିତ ଜଜ୍ଞବେଦୀକୁ ମହାଯାତ୍ରା,
ଫୁଲକୁ ବୁଝିବା ପାଇଁ ତୁଳସୀ ପୁଜିବା ପାଇଁ
ଜୀବନ ମଲାନଈରେ ପାଦେ ପାଣିସହ ଯୁଝିବାପାଇଁ
ଈଶ୍ବରେ ମିଶିବା ପାଇଁ ନିଜକୁ ପାଇବା ପାଇଁ
ବିବେକର ସୂର୍ଯ୍ୟ ଓ ଚନ୍ଦ୍ରକୁ ଦେଖିବା ପାଇଁ
ପ୍ରଜାପତିର ଦେହକୁ ନ ଛୁଇଁ ରଙ୍ଗେ ଭିଜିବା ପାଇଁ
ଶିଳାକୁ ଦେବତା ରୂପୀ ଉପାସନା ଅର୍ଚ୍ଚନା ପାଇଁ
ମନର ବଡ଼ଦାଣ୍ଡରେ ଆତ୍ମାର ରୂପକୁ ଦେଖିବାକୁ
ଏକାକୀର ଏ ମୋହଶୂନ୍ୟ ପୂଣ୍ୟମଣ୍ଡପକୁ ମହାଯାତ୍ରା,
ଭକ୍ତିରସ ଚାଖିବାର ଇଛା ଓ ହସିବାର ପଣକରି
ଲୁହସହ ଘନିଷ୍ଠତାକୁ ଆହୁରି ଗଭୀର ଓ ଦମ୍ଭ କରି
ଜୀବନ କୁଟୀର ଧ୍ୱଂସ ପରେ ଇଟାଭାବ ଏକାଠିକରି
ଜାଡ଼ ରକ୍ଷା ପାଇଁ ଅହଂକୁ ପାହାନ୍ତିର ଧୁନିକରି
ଚକମକ୍ ସହରେ ଅନ୍ଧାର ଚିହ୍ନିବାକୁ ନିଜକୁ ପ୍ରସ୍ତୁତ କରି
ଆଲୋକର ଉତ୍ସବ ଅଗଣା ନିଜେ ଜଳି ଆଲୋକିତ କରି
ବୟସର କାଳକ୍ରମେ ଆତ୍ମବିଶ୍ୱାସର ମଞ୍ଜିକୁ ବାଛିବାକୁ
ଏକାକୀର ଏ ବୀପରୀତ ଧର୍ମୀ ବିଚାରମଞ୍ଚକୁ ମହାଯାତ୍ରା।
