ଏକାକୀ ଜୀବନ
ଏକାକୀ ଜୀବନ
ସରସ ସୁନ୍ଦର ଜୀବନ ମଧୁର
ବିଶ୍ବାସୀ ସାଥୀକୁ ପାଇ
ସେହି ସାଥୀ ଯେବେ ଅବିଶ୍ଵାସୀ ହୁଏ
ନହୁଏ ପୀଡାକୁ କହି ।
ଅଡ଼ୁଆ ସୂତାରୁ ଖିଅ ଖୋଜିଲେ କି
ସହଜରେ ପଡେ ଧରା
ଏକ ଖିଅ ଯଦି ଚିହ୍ନା ଚିହ୍ନା ଲାଗେ
ଅନ୍ୟ ପ୍ରାନ୍ତ ଛନ୍ଦା ପରା ।
ଦୂର ଦୂର ଯାଏ ସମାଧାନ ରାହା
ନଜର ନଆସେ ଧ୍ୟାନେ
ଥକି ଯିବ ବନ୍ଧୁ ଭଉଁରି ଖେଳରେ
ନଥିବେ ଆପଣା ଜନେ ।
କାଲି ଯିଏ ବୋଲେ ଛଳନାରେ ହସି
ତୁହି ମୋ ଏକାନ୍ତ ସଖା
ଦିନେ ନଦେଖିଲେ ହୃଦୟେ ଜଳେ ମୋ
ଯାତନା ବହ୍ନିର ଶିଖା ।
ବଦଳେ ସମୟ ବଦଳେ ସ୍ବରୂପ
ସଙ୍ଗେ ବଦଳିଲା ମନ
କିଏ ବା କାହାର ପ୍ରେମ ପାରାବାର
ଭସାଇବ ରାତି ଦିନ ।
ବସନ୍ତେ ଫୁଟିଲା କେତେ କୃଷ୍ଣଚୁଡା
ଧରାରେ ଲୋଟିବା ପାଇଁ
ଅମାବାସ୍ୟା ରାତେ ଜହ୍ନ ଉଇଁ ଆସେ
ସରସ ମିତକୁ ଚାହିଁ ।
ନିର୍ଜନ ବିଜନ ଶୀତ ବିଭାବରୀ
ମାନସେ ବ୍ୟଥିତ କରେ
ଏକାକୀ ଜୀବନ ଶ୍ମଶାନ ସମାନ
କହିଲେ କି କେବେ ସରେ ।
ମନେ ବାସ କରେ ଦୁଃଚିନ୍ତା ଭାବନା
ସମୟର ଗତି ଧୀର
ସାଥୀ ବିନା ରାତି ନିରତେ ନିମଗ୍ନ
ଲୁହ ଶୈବଳିନୀ ଧାର ।
ଜନ ଲୋଚନରେ ମହାସୁଖେ ବୋଲି
ମୃଦୁ ମୃଦୁ ହାସ୍ୟ ମେଲି
ଚନ୍ଦ୍ରାନନୀ ବାଳା ଏକାକୀ ଜୀବନେ
ଖେଳାଏ ରଙ୍ଗୋଲି ହୋଲି ।