ଏଜୀବନେ ପ୍ରେମ ଏତିକି
ଏଜୀବନେ ପ୍ରେମ ଏତିକି
ମୋର ପ୍ରିୟାର ପାଟ ଓଢ଼ଣୀ
ସୀମନ୍ତରେ ତା ସିନ୍ଦୂର ଟୋପା
ଦେଖିବା ମୋର ଭାଗ୍ୟରେ ନାହିଁ
ହୋଇଯାଇଛି ମୋ ପ୍ରିୟା ଖପା।
ଶୁଭଇ ନାହିଁ ମଧୁର ସ୍ୱର
ଯାଇଅଛି ସେ ଅନେକ ଦୂର,
କରି ଦେଇଣ ସେ ମୋତେ ପର
ମୋର ମନକୁ କରି ବିଧୁର।
ମିଳଇ ନାହିଁ ପ୍ରିୟା ପରସ
ଏଣୁ ମନଟି ହୁଏ ବିରସ,
ଏ ଜୀବନେ ଆଉ ନାହିଁ ଆଶ
ଭାଗ୍ୟ ଲିଖନ କରିବା କିସ?
ଚୁଡ଼ି ରୁଣୁଝୁଣୁ ଯେ ସ୍ୱପ୍ନରେ
ଫୁସ୍ ଫୁସ୍ କଥା ମୋ କର୍ଣରେ,
ସପନ ଭାଙ୍ଗି ଦେଖଇ ମୁହିଁ
କେହି ନଥାଏ ମୋର ପାଖରେ।
ଅପସରିଛି ପ୍ରିୟାର ସେବା
ପତି ସୁହାଗିନୀ ମଧୁ ଡାକ,
ବିରକ୍ତି ନୁହଁ ସ୍ନେହର ନୁହଁ
ମୋ ପାଇଁ ସିଏ ସମ୍ପୂର୍ଣ୍ଣ ମୁକ।
ସରି ଯାଇଛି ଏ ଜନମ ପାଇଁ
ଖୋଜିଲେ ମଧ୍ୟ ମିଳିବ ନାହିଁ,
କିଏ କହେ ଅଥବା ନ କହେ
ପାପୀଟି ବୋଲି କହୁଛି ମୁହିଁ।
ଯମ ଦଣ୍ଡ ଯେ କେଉଁଠି ନାହିଁ
ଦଣ୍ଡ ବିଧାନ ମର୍ତ୍ତ୍ୟରେ ହୋଇ,
ଦଣ୍ଡିତ ଯେ ନ କହି କାହାକୁ
କାନ୍ଦଇ ବସି ମୁହଁ ଲୁଚାଇ।