ଏଇତ ଜୀବନ
ଏଇତ ଜୀବନ


ଏ ଦେହ ବୃକ୍ଷରେ ଫୁଟିଅଛି ଦେଖ
ଜୀବନର ଫୁଲଟିଏ,
ଏ ଦୁର୍ଲ୍ଲଭ ଫୁଲ ଆଜି ଅବେଳରେ
ଅକାରଣେ ଝଡିଯାଏ।
ବଣମଲ୍ଲୀ ଭଳି ମଉଳି ଯାଉଛି
ଦେବକାର୍ଯ୍ଯେ ଲାଗୁନାହିଁ,
ଭୁଲ୍ ବୁଝାମଣା ଏହି ଜୀବନକୁ
ଅବାଟରେ ଥୁଏ ନେଇ।
ମାଆର ଜୀବନ ପୁଅଟି ତାହାର
ପୁଅ କିନ୍ତୁ ଧୋକ୍କା ଦିଏ,
ଏହି ଧୋକ୍କା ପାଇଁ ପ୍ରେମୀ ଯୁଗଳଙ୍କ
ଅବେଳେ ଜୀବନ ଯାଏ।
ମଦ୍ଯପ ନିଶାରେ ଜୀବନ ଖଟାଇ
ଦେଖୁ ଦେଖୁ ମରିଯାଏ,
ଜୀବନର ମୂଲ୍ୟ କିଏ ବା ଏଠାରେ
ସହଜରେ ବୁଝୁଥାଏ?
ସଂସାର ହାଟରେ ଜୀବନର ନଈ
ସମୟ ସ୍ରୋତ ସହିତେ,
ବହିଯାଉଅଛି ସେହି ଅବିରତେ
କୂଳ ଖାଇ ସୁଖେ ଦୁଃଖେ।
ଜୀବନ ଠିକଣା ମରଣ ଦୁଆରେ
ଲେଖା ଅଛି ନିରନ୍ତର,
ଏହି ଚିରନ୍ତନ ସତ୍ୟଟି ପ୍ରକାଶ
ତେଣୁ ଏ ମିଥ୍ୟା ସଂସାର।
ସତ୍ୟ,ଶିବ ଆଉ ସୁ
ନ୍ଦର ଜୀବନ
ଛାଇ ଆଲୁଅର ଖେଳ,
ଏଇ ଅଛି ଏଇ ନାହିଁ ପୁଣି କେବେ
ସ୍ଵାକ୍ଷର ସେ ନିଃଶ୍ବାସର।
ଜୀବନ ଏଠାରେ ପ୍ରତିଶ୍ରୁତିବଦ୍ଧ
ରାଜିନାମା ସ୍ଵୀକାରୋକ୍ତି,
ଅନୁବନ୍ଧିତ ସେ ଅମୃତ ବେଳାରେ
କରିଅଛି ପରା ଚୁକ୍ତି।
ଜୀବନ ଗଣିତ ମିଶାଣ ଫେଡାଣ
ଶହେ କି ଶୂନରେ ନୁହେଁ,
ହାରିବା ଜିତିବା ହିସାବରେ କିଛି
ସୁଫଳ ମିଳି ନ ଥାଏ।
ଛୋଟ ଛୋଟ କଥା ପାଇଁ ଅଭିମାନ
ନୁହେଁ ତ ଜୀବନ ମାନେ,
ବଡ଼ ବଡ଼ କାମ ପରୋପକାରରେ
ଧନ୍ୟ ହୋଇବା ଜୀବନେ।
ପ୍ରେମର ସଉଦା ସଂସାର ହାଟରେ
ଜୀବନରେ କରୁଥିଲେ,
ଏ ଦୁର୍ଲ୍ଲଭ ତନୁ ସାର୍ଥକ ହୋଇବ
ଶାନ୍ତି ମିଳଇ ଅଚିରେ।
ସଂସାର ନଈରେ ପ୍ରେମର ନଉକା
ସତ୍ୟର ଆହୁଲା ଧରି,
ଜୀବନର ଶେଷ ଗୀତ ରାମନାମ
ତୁଣ୍ଡେ ଧରି ହେବା ପାରି।