ଦିନ ମୋର ସରିଗଲାପରେ
ଦିନ ମୋର ସରିଗଲାପରେ


ଆୟୂଷ ଖାତାରୁ କରିଦେଲି ଖର୍ଚ୍ଚ
ଅଯଥାରେ ଦିନଟିଏ,
ବୁଝି ପାରିଲିନି ସମୟରେ ମୂଲ୍ଯ
ମୁଁ ଯେଣୁ ନିର୍ବୋଧଟାଏ।
ଶୈଶବଟା ବିତିଗଲା ଧୂଳିଖେଳେ
କୈଶୋରଟା ସାଙ୍ଗ ମେଳେ,
ଯୁବା ବୟସଟା ଯୁବତୀ ଭାବରେ
ବିତିଗଲା ଅବହେଳେ।
ସଂସାରମୋହରେ କାମନା ଜାଲରେ
ଅକାରଣେ ଛନ୍ଦିହେଲି,
ଟଙ୍କା ଟଙ୍କା ହୋଇ ବୟସକୁ ମୋର
ଆଜି ଯା ଗଡେଇଦେଲି।
ବାର୍ଦ୍ଧକ୍ୟଟା ଏବେ ହେଲା ଉପନୀତ
ତଥାପି ଚେତିଲି ନାହିଁ,
ବିଷୟାରେ ମାତି ନଷ୍ଟ କରିଦେଲି
ଏ ମୋର ଦୁର୍ଲ୍ଲଭ ଦେହୀ।
ଯେ ସଜଫୁଲଟି ମଉଳିଛି ଆଜି
ବାସ ବି ହରେଇଅଛି,
ବାସ ହୀନ ଏଇ ଅମଉଳା ଫୁଲ
ପ୍ରଭୁଙ୍କୁ ଦେବି ଭାବିଛି।
ଆଜି ମୁଁ ଜାଣୁଛି ମୋ ଭଳିଆ ପାପୀ
ଆଉ ବୋଧେ ନାହିଁ କେହି,
ସବୁ ଭୋଗ କରି ଅଇଁଠା ଭୋଗକୁ
ପ୍ରଭୁଙ୍କୁ ଦେବି ଭଣ୍ଡେଇ।
କ୍ରୋଧ,ଇର୍ଷା,ଦ୍ଵୈଷ,ଅହଂକାରେ ମଜି
ଦେହ କଲି ଅପବିତ୍ର,
କାମନା,ଲାଳ
ସା,ମଦ,ମାତ୍ସର୍ଯ୍ଯରେ
ହୋଇଗଲି ବିମୋହିତ।
ଧରାକୁ ମୁଁ ସରା ମନେ କଲି ଯାହା
ବୟସ ମୋ ଥିଲାବେଳେ,
ମୋର ମୋର କହି ଦାବି କରୁଥିଲି
ସବୁ ବୃଥା ଅଧିକାରେ।
ପୁତ୍ର,କନ୍ୟା,ସ୍ତ୍ରୀ କେ ନୁହେଁ କାହାରି
ବୁଝିଗଲି ପ୍ରତିକ୍ଷଣେ,
ଆପଣା କରମ ନେଇ ମଣିଷକୁ
ବାହୁଡି ଯିବାକୁ ପଡ଼େ।
ଦେଖୁଦେଖୁ ଆସି ପଶ୍ଚିମ ଆକାଶେ
ଅସ୍ତଗଲେ ଭାଗ୍ୟ ରବି,
ସଞ୍ଜ ବୁଡିଗଲା ଅନ୍ଧାର ଘୋଟିଲା
ଆଉ କି ସ୍ଵଦେହେ ଥିବି?
ଅନେକ ସପନ ରହିଗଲା ବାକି
ସୁଖ ରାତି ଗଲା ପାହି,
ଥରେ ପ୍ରଭୁ ନାମ ନେଲି ନାହିଁ ସତେ
କେଡେ ବଡ଼ ପାପୀ ମୁହିଁ !
ଆଉ କେଇ ଦୃଶ୍ୟ ବାକି ଅଛି ମୋର
ନାଟକଟା ସରିବାକୁ,
ଜୀବନ ଦୀପରୁ ତୈଳ ଯାଏ ଶୁଖି
ଦୀପ ମୋର ଲିଭିବାକୁ।
ଆସିଥିଲି ଏକା ବାହୁଡିବି ଏକା
କେହି ନାହିଁ ଆଉ ସଖା,
ଶେଷକୁ ସଙ୍ଖାଳି ରାମନାମ ଏକା
ହରିବୋଲ ଟିକେ ପକା।