ଏଇତ ଜୀବନ
ଏଇତ ଜୀବନ
ଭାଗ୍ୟ ଡୋରି ଲାଗି ସମୟ ବିତୁଚି
କେବେ ମୁଁ ହସୁଚି କେବେ ମୁଁ କାନ୍ଦୁଚି
ସ୍ଵପ୍ନର ସାଗରେ ଭାବନା ଭାସୁଚି
ବିଧାତା ଇସାରାରେ କର୍ମ କରୁଚି
ତଥାପି କାହିଁକି ଭାଗ୍ୟକୁ ଝୁରୁଚି ।।
ନିଅଣ୍ଟ ସମୟ ନିଅଣ୍ଟିଆ ରାତି
ଆଖିକୁ ଆସିବ ସପନ କେମିତି
ଭୁଲି ହୁଏନାହିଁ ପିଲାଦିନ ପ୍ରୀତି
ବୋହୁଚୋରୀ ଡାହୁପୁଆ କିତିକିତି
ସମୟ ନେଇଛି ସବୁର ଆହୁତି ।।
ଶରୀର ଚାଲିଛି ବିକଳାଙ୍ଗ ମନ
ସୁଖ କିଣି ପାରେ ନାହିଁ ଥାଇ ଧନ
ଛଟପଟ ହୁଏ ନିରାଶ ଯୌବନ
ଜୀବନ ଚାଲିଛି ଭାଗ୍ୟର ଅଧୀନ
ପାଉଁଶ ହେଲାଣି ଯେତକ ସପନ ।।
ତଥାପି ଜୀଇଁବା ବିଭୁ ପାଦ ସ୍ମରି
ଭବ ପାରାବାରେ ମେଲି ଦେଇ ତରୀ
ସାହାସ ଭରଷା ଏକା ସେଇ ହରି
କର୍ମ ଅନୁସାରେ କରିଦେବେ ପାରି
ପାଦତଳେ ତାଙ୍କ କରିବା ଗୁହାରୀ ।।
