ଏବେ ବି ମଣିଷ ବଞ୍ଚିଛି
ଏବେ ବି ମଣିଷ ବଞ୍ଚିଛି
ଦୁଃଖୀ ମଣିଷର
ଆଖି ଲୁହଧାର
କେହି ଜଣେ ଆଜି ପୋଛୁଛି।
ନହେଲେ ଦୁନିଆଁ
ହସି କି ପାରନ୍ତା
ଏବେବି ମଣିଷ ବଞ୍ଚିଛି।
ଭୋକିଲା ପେଟର
ଦୁଃଖ ଓ ବେଦନା
କେହି ନା କେହି ତ ବୁଝୁଛି।
ନହେଲେ ବୁଭୂକ୍ଷୁ
ବଞ୍ଚି କି ପାରନ୍ତା
ଏବେବି ମଣିଷ ବଞ୍ଚିଛି।
ଝଡ ବରଷାରେ
ଆଶରା ଟିକିଏ
ବାସହରା ଯେବେ ଖୋଜୁଛି।
କେହିନା କେହିତ
ମୁଣ୍ଡ ଗୁଞ୍ଜିବାକୁ
ଜାଗା ଟିକେ ତାକୁ ଦେଉଛି।
ଏବେବି ମଣିଷ ବଞ୍ଚିଛି।
ଅଜଣା ପଥିକ
ବାଟ ଭୁଲିଗଲେ
କେହିଜଣେ ବାଟ କହୁଛି।
ନହେଲେ ପଥିକ
ଯାଇ କି ପାରନ୍ତା
ଏବେବି ମଣିଷ ବଞ୍ଚିଛି।
ତଣ୍ଟି ଶୁଖିଗଲେ
କେହି ନା କେହିତ
ପାଣି ଟିକେ ନେଇ ଦେଉଛି।
ନହେଲେ ତୃଷାର୍ତ୍ତ
ବଞ୍ଚି କି ପାରନ୍ତା
ଏବେବି ମଣିଷ ବଞ୍ଚିଛି।
ମାଆର ମନର
ଅକୁହା ବେଦନା
କେହି ଜଣେ ପୁଅ ବୁଝୁଛି।
ନହେଲେ ମାତୃତ୍ଵ
ବଞ୍ଚି କି ପାରନ୍ତା
ଏବେବି ମଣିଷ ବଞ୍ଚିଛି।
ଅଜଣା ଶବ ର
ଶବାଧାରେ କାନ୍ଧ
କେହି ନା କେହିତ ଦେଉଛି।
ନହେଲେ ତା ଜୁଈ
ଜଳି କି ପାରନ୍ତା
ଏବେବି ମଣିଷ ବଞ୍ଚିଛି।
ବୁଡିବା ଲୋକକୁ
ଉଦ୍ଧାରିବା ପାଇଁ
କେହିତ ପାଣିକୁ ଡେଉଁଛି।
ନହେଲେ ସେ କେବେ
ବଞ୍ଚି କି ପାରନ୍ତା
ଏବେବି ମଣିଷ ବଞ୍ଚିଛି।
ବିପଦେ ଆପଦେ
ଆହା ଟିକେ ପାଇଁ
ଯେତେବେଳେ ମନ ଚାହୁଁଛି।
କେହି ନା କେହିତ
ଦେଉଛି ଭରସା
ଏବେବି ମଣିଷ ବଞ୍ଚିଛି।