ଏ ତ କଳି କାଳ ନୀତି
ଏ ତ କଳି କାଳ ନୀତି
ଆଖି ଦେଖେ ନିତି ଅନ୍ୟାୟ ଦୁର୍ନୀତି
ଏତ କଳି କାଳ ନୀତି
ସବୁ ଦେଖୁଥିବ କିଛି ନ କହିବ
କହିଲେ ପାଇଁ ଶାସ୍ତି ।।
ଲଭି ଦିବ୍ୟ ଜ୍ଞାନ ପଶୁ ଠାରୁ ହୀନ
ହେଲେ ଏ ମଣିଷ ଜାତି
ଦୁର୍ଯ୍ୟୋଧନ ପରି ନଦୀ ହୁଏ ପାରି
ବଢାଇବାକୁ ତା ଖ୍ୟାତି ।।
ତୁଛା ଆଭିଜାତ୍ୟ କଲାଣି ବାୟା ତ
ଦେଖେଇ ହୁଅନ୍ତି ନିତି
ଧାୟୀ ସେବୁଥାଏ ଜନ୍ମିତ ସନ୍ତାନ
ସ୍ନେହ ମମତା ନ ପାନ୍ତି ।।
ବୃଦ୍ଧ କାଳେ ସେହି ଜରାଶ୍ରମେ ରହି
ପାଏନି ଟିକିଏ ଶାନ୍ତି
ମମତା ଟିକିଏ ଦେଇ ନାହିଁ ଯିଏ
ପାଇବ ଅବା କେମିତି ।।
ମାନୁ ନାହିଁ କିଏ କାହାକୁ ଏଠାରେ
ନାହିଁ ବଡ଼ ସାନ ନୀତି
ଯେତେ ଭାଇ ଏଠି ହୁଏ ସେତେ ହାଣ୍ଡି
ସ୍ୱାର୍ଥରେ ବଳି ପଡନ୍ତି ।।
ନାରୀ ଖୋଜୁଥାଏ ପର ପୁରୁଷଏ
ଭୁଲି ଯାଇ ତାର ପତି
ସ୍ଵାମୀ ବାହାନାରେ ପର ନାରୀ କୋଳେ
ବିତାଇ ଦିଅନ୍ତି ରାତି ।।
ବୟସ ନୋହୁଣୁ ପୁଅ ଝିଅ ଏଠି
ପ୍ରେମରେ ଗଲେଣି ମାତି
ନିଦରେ ନ ଶୋଇ କଥା ହୋଇ ହୋଇ
ବିତି ଯାଏ ରାତି ରାତି ।।
କୁସ୍ତି କସରତ ଭୁଲି ତ ଗଲେଣି
ମୋବାଇଲ ଖେଳେ ମାତି
ତଳ ମୁହାଁ ଏବେ ହେଲେଣି ସଭିଏଁ
ବସନ୍ତି ମୁହଁକୁ ପୋତି ।।
ଆୟ ଠାରୁ ବ୍ୟୟ କରନ୍ତି ଅଧିକ
ବହେ ଦେଖାଣିଆ ତାତି
ପରକୁ ଠକୁଛି ଅଭାବ ମେଣ୍ଟୁଛି
ବୁଲୁଛି ଫୁଲେଇ ଛାତି ।।
ଯେତେ କଳା ଧନ ମିଳୁଛି ସମ୍ମାନ
ଜଗତେ ବଢୁଛି ଖ୍ୟାତି
ଥାଉ ଯେତେ ଜ୍ଞାନ ନ ଥିଲେ ଟି ଧନ
ଖଟୁ ଥାଏ ସଦା ଗୋତି ।।