ଏ ରଙ୍ଗ ରହିବ ନାହିଁ
ଏ ରଙ୍ଗ ରହିବ ନାହିଁ
ଷଡ଼ ଋତୁ ଏକ ବର୍ଷରେ ଆସନ୍ତି
ଏକ ପରେ ଆନ ହୋଇ,
ଏକ ଋତୁ କେବେ ବରଷ ଟି ସାରା
ରହେନାହିଁ ଚିରସ୍ଥାୟୀ l
ବସନ୍ତ ଆସିଲେ ଫଗୁ ଖେଳାଯାଏ
ଉଡୁଥାଏ ସାତ ରଙ୍ଗ,
ସେ ଋତୁ ରହେନି ସେ ରଙ୍ଗ ରହେନି
ହୋଇଯାଏ ମୋହ ଭଙ୍ଗ l
ଜୀବନ ଟି ଆମ ଅଳୀକ ଅଟଇ
ଆଜି ଅଛି କାଲି ନାହିଁ,
ମିଛରେ କିଆଁ ବଡ଼ ପଣ କୁ ଦେଖାଇ
ଗରବ କରିବା ରହି l
କେତେ ରଙ୍ଗେ ଭରା ଜୀବନ ଆମର
ସମୟ ହାତର ଖେଳ,
ବାଳୁତ ଯୌବନ ତାପରେ ଜୀବନେ
ଆସଇ ବାର୍ଦ୍ଧ୍ୱକ୍ୟ ବେଳ l
ଯୌବନ ର ରଙ୍ଗ ମଳିନ ହୁଅଇ
ବୟସ ଗଡ଼ିଲା ପରେ,
ଗର୍ବ ଦମ୍ଭ
ଶକ୍ତି ରହେନାହିଁ କେବେ
ସବୁଦିନ ଶରୀର ରେ l
କୁତ୍ରିମ ରଙ୍ଗ ଓ ଦେଖାଣିଆ ଭାବ
ହଜିଯାଏ କାଳ କ୍ରମେ,
ପ୍ରକୃତିର ରଙ୍ଗ ଶାଶ୍ୱତ ଭାବନା
ଚିରନ୍ତନ ଧରାଧାମେ l
ଇର୍ଷା ଦ୍ୱେଷ ଆଉ ଅଂହକାର ଭାବ
ରଖ ନାହିଁ କେବେ ମନେ,
ସବୁ ଦିନ କେବେ ସମାନ ଯାଏନି
ଏହି ଆମରି ଜୀବନେ l
ସବୁ ରଙ୍ଗ ଦିନେ ଛାଡିଯାଇପାରେ
ପ୍ରୀତି ରଙ୍ଗ ଛାଡେ ନାହିଁ,
ଶାଶ୍ୱତ ପୀରତି ରାଧାକୃଷ୍ଣ ଙ୍କର
ଯୁଗେ ଯୁଗେ ଥିବ ରହି ll
ବିଭୁଙ୍କ ପ୍ରେମରେ ରଙ୍ଗିବା ନିଜକୁ
ଭଜିଭଜି ତାଙ୍କ ନାମ,
ନାମ ଭଜନରେ ଗୁଣ କୀର୍ତ୍ତନରେ
କାଟିବା ଏହି ଜନମ ll