ଏ ମନ ଝୁରେ
ଏ ମନ ଝୁରେ
ବରଷ ବିତିଲା ଋତୁ ଚାଲି ଗଲା
ପାଏ ନାହିଁ କାହିଁ ଦେଖା
ମୋ ଠାରୁ ସୁଖି ତ କୁରୁସଭା ତଳେ
ତୁମେ ସେହି କୃଷ୍ଣା ସଖା ।
ଦ୍ଵାପରେ ଜନମି କି ଶାନ୍ତି ଲଭିଲା
ତୁମରି ରାଧିକା ହୋଇ
ଉନ୍ମାଦିନୀ ପରି କରି ଦେଲ କାହ୍ନୁ
ଭୁଲି ନପାରିଲା ରାଈ ।
ଶୁଣିଛି ଏ କର୍ଣ୍ଣେ କଂସକୁ ନାଶିଲ
ସାଧୁ ସନ୍ଥ ଗଲେ ତରି
କି ପ୍ରେମ ସାଗରେ ଭସାଇ ଦେଲ ଗୋ
ଶୁଖେନା ନୟନୁ ବାରି ।
ଦେବଙ୍କୁ ହୋଇଛ ମର୍ଷିତ ଦୁର୍ଲଭ
ମାଗୁଣି ନଥିଲା ତାହା
ଦୂରେଇ ରଖିଲ ମୋ ମନ ଭୁଲାଇ
ନମରି ବଞ୍ଚିଛି ଯାହା ।
ଆହେ ବେଣୁଧର ଯମୁନାର ଲୀଳା
ନାହିଁ କି ତୁମରି ମନେ
ନୀଳ ଶାଢ଼ୀ ମୋର ଦେହରୁ ଫୋପାଡି
ପକାଇ ଥିଲ ଗୋ ଭ୍ରମେ ।
ମାନସେ ରଖିନ କୁଞ୍ଜବନ ରାସ
ନିର୍ଜନ ନିଶୀର ଚିତ୍ର
ବାହୁ ବନ୍ଧନରେ ଶର୍ବରୀ ବିତାଇ
ଛାଡି ଯାଉ ଥିଲ ପତ୍ର ।
କୁସୁମ ଝୁଲଣା କଦମ୍ବ ବୃକ୍ଷରେ
ଭାଳୁଛି ଲଳୀତା ସଖୀ
ମାଳତୀ ବଲ୍ଲରୀ ଝୁରି ଝୁରି ମରେ
ସ୍ମୃତି ସୌରଭକୁ ଯୋଖି ।
କଦମ୍ବ ମହକି ଦେଉଛି ଗୋ ଲେଖି
ଆହେ ପ୍ରଭୁ ରାଧାକାନ୍ତ
ଶୁନ୍ୟ ପରି ଲାଗେ ମୋ ଶାଖୀ ଗହଳ
କେମିତି ଭୁଲିଲ ମିତ ।
ତୁମ ସ୍ପର୍ଶ ପାଇ ପାପ ଯାଏ ଧୋଇ
ଲୀଳା ବିନୋଦ ବିହାରୀ
ତୁମେ ଚାଲି ଗଲ ଧୂଳି ଘର ଭାବି
ଦିନ ବିତେ ତୁମେ ଝୁରି ।
ଗୋପି ବସ୍ତ୍ର ନେଇ କିଏ ଲୁଚାଇବ
ଉଚ୍ଚ କଦମ୍ବର ଡାଳେ
କେଉଁ ଗୁଣ ପ୍ରଭୁ ବର୍ଣ୍ଣନା କରିବି
ରହିଛ ଆମୂଳ ଚୂଳେ ।
ମନ ପକ୍ଷୀ ମୋର ଗୁମୁରି ମରୁଛି
ଯମୁନା ଘାଟକୁ ଦେଖି
କଦମ୍ବ କନ୍ଦୁକ ସ୍ମୃତିର ପୁଟୁଳି
ପଲ୍ଲବ ତାହାର ସାକ୍ଷୀ ।
ଝୁରେ ଗୋଷ୍ଠ ଧେନୁ ଝୁରୁ ଅଛି ବେଣୁ
ଛଳନାରେ ବାନ୍ଧି ଗଲ
କି ସୁଖ ପାଇଲ ହେ କୁଞ୍ଜବିହାରୀ
ଅକୁହା ବେଦନା ଦେଲ ।
କଳଙ୍କିନୀ ରାଧା ଜୁଇ ନଜଳିଲା
ବଞ୍ଚିଛି ନିଲଠା ମୁହିଁ
କଦମ୍ବ ଝୁରୁଛି ଯମୁନା ଝୁରୁଛି
ଏ ମନ କି ଝୁରେ ନାହିଁ ।
ଦ୍ଵାରିକାଧୀଶ ହେ ହୃଦୟ ଦହିଲ
କଲି କେଉଁ ଅପରାଧ
ବାଟେ ଘାଟେ ପ୍ରେମ କରି ଥିଲି ବୋଲି
ନିନ୍ଦାରେ ହେଉଛି ଦଗ୍ଧ ।
କଦମ୍ବ ସ୍ମରଣେ ଆସ ଶ୍ୟାମଘନ
ଧନ୍ୟ ହେଉ ତା'ର ପ୍ରାଣ
ଏପରି ଜନମ ଯୁଗ ଯୁଗ ହେଉ
ପୂର୍ଣ୍ଣ କର ମନୋସ୍କାମ ।
ସକଳ ଦୁଃଖ କୁ ଅନୁଭବେ ଘେନି
ପୀଡାକୁ ଲାଘବ କରେ
ରାଧାର ମନକୁ କିଏ ବା ବୁଝିବ
ଏକାନ୍ତେ ଗୁମୁରି ମରେ ।
ଆଉ କିଏ ସ୍ନିତ ବଚନେ ତୋଷିବ
ବିଶ୍ଵାସ ମୋ ଟଳମଳ
ଲିଭି ଯା'ନ୍ତା କି ଭଗାରି ଯାତନା
ପାଇ ତୁମ ବାହୁ ବଳ ।
ଆଦରି ନେଇଛି ତୁମ କେକୀ ପୁଚ୍ଛ
ଗଣ୍ଡ ରାଇଜଟା ମୋର
ବାରବାର ଚୁମ୍ବି ଭାବନାରେ ଭାସି
ଝୁରେ ହେ ଗୁଣ ସାଗର ।
ଆଶା ବୈତରଣୀ ଶୁଷ୍କ ପଡ଼ିଛି ହେ
ଆଉ କି ଏ ଜନ୍ମେ ଭେଟ
ପ୍ରୀତିର କର୍ଦ୍ଦମା କରିଲ ଲେପନ
ଜ୍ଞାତ ନହୋଇଲା କୂଟ ।
କହି ଥିଲ ବନ୍ଧୁ ବୋଳି ପ୍ରୀତି ମଧୁ
ଯୁଗେ ଯୁଗେ ତୁମେ ମୋର
ଅଧା ବାଟେ ତୁମେ ପରିତ୍ୟାଗ କଲ
ଏହି କିବା ସୁବିଚାର ।
ହୃଦୟ ଦରଜା ଖୋଲି ମୁଁ ରଖିଛି
ବିତି ଯାଉ ଦିନ ବାର
ଭୁଲିବିନି କେବେ ତୁମ ପ୍ରେମ ସ୍ମୃତି
ଗଳାକୁ କରିଛି ହାର ।

