ଏ କି କର୍ତ୍ତବ୍ୟ
ଏ କି କର୍ତ୍ତବ୍ୟ
କି ଦେଖିଲା ଆଖି ବୁଢ଼ୀ ନିରିମାଖି
ଚମ ଧୁଡୁ ଧୁଡୁ ଦେହେ.
କର୍ମର କଷଣେ ପେଟ ହୁତାଶନେ
ଇଟା ଭରି ମୁଣ୍ଡେ ବୁହେ ।
ଚାଲିବାକୁ ନାହିଁ ବଳ ତାହା ଠାଇଁ
ପେଟଟି ହୁଏ ଭଗାରି.
ଜନ୍ମ କଲା ପୁଅ ପାଏ ନାହିଁ ଖିଅ
ଶାଶୁ ବୋହୁଙ୍କର କଳି ।
ଭାରିଜା ପ୍ରେମରେ ବାନ୍ଧି ହୋଇ ମରେ
ଭୁଲିଲା ବାଲୁତ କାଳ
ବାର୍ଦ୍ଧକ୍ୟ କାଳରେ ବଇରୀ ସାଜେରେ
କାଟି ମମତାର ଡୋର ।
ରାତି ଦିନ ଖଟି ପେଟୁ ଦାନା କାଟି
ପାଳିଲା ତିରିଶ ବର୍ଷ
ଅଢେଇ ଦିନରେ ଭାରିଜା ପ୍ରେମରେ
ବାଇ ହୋଇ କଲା ରୋଷ ।
ଘରୁ ତଡିଦେଲା ରାଜରାସ୍ତା ହେଲା
ମାଆର ଆଶ୍ରୟ ସ୍ଥଳୀ
ଏନ୍ତୁଡ଼ି ଈଶାଣ ଅନ୍ନ ତ ସପନ
ଦୁଃଖ ଯାଏ ତାର ବଳି ।
ପେଟଟିଏ ପାଇଁ ରାତି ଦିନ ନାହିଁ
ପିନ୍ଧିଛି କଷଣ ଟିପା
ଆସିବ ସେ ଦିନ ଭୋଗିବ କଷଣ
ଉଦ୍ଧାର ସେର କି ତିନିପା ।
ଫିଙ୍ଗିଲେ ଟେକାଟି ପଥର ଖଣ୍ଡଟି
ନିଶ୍ଚୟ ତାପାଇଁ ଥୁଆ
ଏକା ନାରୀ ଜାତି ଏ କି କୂଟନୀତି
କେମିତି ସହୁଛି ହିଆ ।
ହୋଇଯାଏ ନାରୀ ନାରୀର ଭଗାରୀ
ସ୍ୱଜାତି ପର ହିଂସ୍ରକ
ବୋହୂଟିକୁ ଝିଅ ସଦା ସ୍ଥାନ ଦିଅ
ଶାଶୁ ମାଆର ଶୀର୍ଷକ ।