ଏ ଜୀବନ ପତ୍ରିକା ହାଟ
ଏ ଜୀବନ ପତ୍ରିକା ହାଟ
ଏ ଜୀବନ ଏକ ପତ୍ରିକା ହାଟ
**********ଅପର୍ତ୍ତି ସେଠୀ**
କିଛିଟା କାହାଣୀ,କିଛି ଉପନ୍ୟାସ
କିଛି କବିତା ନାଟକ,
ନାନା ଭାବ ରସ ନେଇ ଉପଲବ୍ଧ
ଜୀବନ ପତ୍ରିକା ହାଟ।
କିଏବା ଜାଣିଛି ଲିଭିଯିବ କେବେ
ଏ ଜୀବନ ଦୀପଶିଖା,
କିଏବା ପଢିଛି ଚେଷ୍ଟାକରି ଯେତେ
କା'କପାଳ ଭାଗ୍ୟ ଲେଖା !
ଗଣ୍ଡେ ଖାଇ ଦଣ୍ଡେ ଜିଇଁବାର ସୁଖ
କିଏ ପାଏ ଚାଳଘରେ,
କେ ପୁଣି ନିଶ୍ଚିନ୍ତେ ଶୋଇ ବି ପାରୁନି
ମଖମଲ୍ଲୀ ଶେଯପରେ।
ଅର୍ଥ ବଳେ ସିନା ମିଳେ ଭଲ ଶେଜ
ମିଳେ ନାହିଁ ଭଲ ନିଦ,
ତଥାପି ମଣିଷ ମାୟାରେ ବାଇଆ
ଲୋଡେ କାହିଁ ଇନ୍ଦ୍ରପଦ ?
ବାଘ ଭୟ ପୁଣି ଥାଏ ଯେଉଁଠାରେ
ସଞ୍ଜ ଆସେ ସେଇଠାରେ,
ହୁଏ ନାହିଁ ବୁଝି ଭାଗ୍ଯଟି କାହିଁକି
ଠକି ବସେ ସେତେବେଳେ।
ଅୟୂତ ଯୁଗର ନିୟୂତ ଭାବନା
ଯାର ନାହିଁ ଏଠି ଶେଷ,
ଲୁହ ସରିଯିବ ଭୋକ ମରିଯିବ
ମେଣ୍ଟିବନି ଅବଶୋଷ।
ଛୋଟ ଘରେ କେବେ ହୃଦୟକୁବଡ
କରି ବଞ୍ଚିବାକୁ ହୁଏ,
ଏ ଦୁନିଆଁ କଳାପଟାରୁ ଜୀବନ
ରେଖା ଦିନେ ଲିଭିଯାଏ।
ଆଲୋକତ ଆସେ ଜୀବନରେ ପାଠ
ପଢିଥିଲେ ଅନ୍ଧାରରେ,
ବଣକୁ ବଗିଚା ବୋଲି ଭାବିଦେଲେ
ଭୟ କିବା ଗ୍ରାସୀପାରେ !
ଦେଖିଛକି କବିତାରୁ ଝରୁଥିବା
ଆଞ୍ଜୁଳା ଆଞ୍ଜୁଳା ରକ୍ତ,
ଜୀବନର ଏଇ ପତ୍ରିକା ହାଟରେ
କବି କ'ଣ ଅଭିଶପ୍ତ ?
କେବଳ କବିତା ଲେଖିବା ପାଇଁ କି
କବି କ'ଣ ନିଏ ଜନ୍ମ,
ପାଠକ ଗ୍ରାହକ ନ ଥିଲେ କବିତା
ହୋଇଯାଏ ମୂଲ୍ୟହୀନ।
(ପାଳକଣା,କୋରୋ, କେନ୍ଦ୍ରାପଡ଼ା
ମୋ - ୭୮୯୪୩୯୮୫୦୦)
