STORYMIRROR

DR PRASANTA KUMAR BISWAL

Classics

3  

DR PRASANTA KUMAR BISWAL

Classics

ଏ ଜୀବନ ପରା ତୁମର

ଏ ଜୀବନ ପରା ତୁମର

1 min
156


ଲୁହମାନେ କୂଳ ଲଂଘିଲେଣି

ବନ୍ଧବାଡ ଆଖିର,

ଇଚ୍ଛା ହେଉଛି ,

ତୁମକୁ ଟିକେ ଜାବୁଡି ଧରି

ମନକଥା କହିବାକୁ ହେ କଳା ଠାକୁର।

କୋହ ମାନେ ବି କଣ୍ଠ ରୋଧ କରନ୍ତି

ବାର ବାର ଗଳାକୁ ମୋର।

ତୁମେ ପରା ଭକ୍ତ ବତ୍ସଳ

 ଭାବ ବିନୋଦିଆ ଭାବର ଠାକୁର ।

ଏ ବର୍ଷ ବି ,ବିନା ଭକ୍ତରେ

ଗଡିବ ନନ୍ଦିଘୋଷ ତୁମର,

ଭାବିଥିଲି ବର୍ଷ ଯାକର ଯନ୍ତ୍ରଣାକୁ 

ଗୋଟାପଣ ଅଜାଡି ଦେବି ବଡଦାଣ୍ଡର,

ଟିକେ ପ୍ରଶାନ୍ତି ଲାଗିବ 

ଟାହିଆ ଲଗାଇ ହଲି ଦୋହଲି  

ଆସିବ ଯେବେ ପହଣ୍ଡି ବେଳର,

କି ମନ ଲୋଭା ସେ ବେଶ ବଡସିଂହାର,

ଆଖିସହ ଆଖିମିଶାଇ ଥରେ ପଚାରି ଥାନ୍ତି 

କାହିଁକି ଏତେ ତୁମେ ନିରବ ନିଥର?

ତୁମେ ପରା ଦୀନବନ୍ଧୁ ଜଗତ ଯାକର।

ଚୌହଦିରେ ବିପଦ ଗଲାଣି ଘନେଇ,

ନିମିଷକେ ତୋ ସନ୍ତାନ ସବୁ

ଯାଉଛନ୍ତି ଉଭେଇ,

ଶୁଣିଛି:::::

ଯେତେ ବିପତ୍ତି ଯେତେ ଦୁର୍ଗତି

ଯେତେ ପ୍ରଳୟ ଅବା ବାତ୍ୟାର ମହାଶକ୍ତି 

 ଯେତେ ଯୁଦ୍ଧ ଅବା ଶାନ୍ତି,

ସବୁ ତ ଲୀଳା ତୁମର,

କେତେ ଆଉ ପରୀକ୍ଷା ନେବ

 ହେ କଳାଠାକୁର?

ବିକଳ ଆର୍ତ୍ତନାଦ ,ଆକୁଳ ଚିତ୍କାର ,

ଜୀବନ ଲାଗି ସଂଘର୍ଷ ପ୍ରତି ମୁହୂର୍ତ୍ତର,

ଧମକ ସର୍ବଦା ମୃତ୍ୟୁର, 

ତଥାପି କାହିଁକି ତୁମେ ବଧିର 

ମୋ ପ୍ରାଣର ଠାକୁର?

ଦୁଇବର୍ଷ ବିତିଯିବ

ବିନା ଭକ୍ତରେ ହେ କଳା ମୋହନ,

ନା ଅଛି ଭକ୍ତଗହଳିର ବଂଶୀସ୍ବନ

ନା ଅଛି ବିଶାଳ ଜନସମୁଦ୍ରର ଗର୍ଜନ। 

ତୁମେ ଏବେ ରଥରେ

ଏକା ଏକା ଚାଲି ଯିବନା କଳା ବାମନ?

ସିଂହଦୁଆରରୁ ଗୁଣ୍ଡିଚାଘର 

ମାଉସୀ ମାରୁ ପୁଣି ସିଂହଦୁଆର,

ଏବର୍ଷ ବି ସରିଯିବ ରଥଯାତରା ତୁମର।

 ତୁମେ ପରା ରଜା ଆମମାନଙ୍କର ,

ଦୁଃଖ ବୁଝିବାକୁ ବରଷକେ ଥରେ 

ହୁଅ ବାହର,

ଯେତେ ରୋଗୀ ଯେତେ ଭୋଗି

ଡହଳ ବିକଳ ଆଜି ତୁମ ବଡ ଦାଣ୍ଡର। 

ଆରମ୍ଭରେ ତୁମେ ଅନ୍ତରେ ବି ତୁମେ,

ସୁଖରେ ତୁମେ ଦୁଃଖରେ ବି ତୁମେ,

ତୁମେ ଯଦି ନ ବୁଝିବୁ ଦୁଃଖ 

ଗୁହାରୀ କରିବି କାହା ଆଗର?

ସବୁ ଶକ୍ତି ସବୁ ସମ୍ପତ୍ତି

ସବୁ ଯନ୍ତ୍ର ସବୁ ମନ୍ତ୍ର ହେଲାଣି ବେକାର,

ଯେତେ ଥିଲା ଆପଣାର

ସବୁ ସମର୍ପି ଦେଲି ତୁମ ଆଗର,

 ତାର ଅବା ମାର 

ଏ ଜୀବନ ପରା ତୁମର ।

ଏ ଜୀବନ ପରା ତୁମର।।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics