ଦୂରେ ବହୁ ଦୂରେ
ଦୂରେ ବହୁ ଦୂରେ
ସଞ୍ଜ ଆସେ ନଇଁ ନଇଁ
ନୀଳ ଗଗନରେ ଚାନ୍ଦକୁ ଦେଖିଲେ,
ଢଳ ଢଳ ଉର୍ମି ସରସୀର ଛାତିରେ
ଫୁଲେଇ ହେଉଛି କଇଁ ।
ପ୍ରୀତି ଭିଜା ଆଖି ନୟନ କୋଣରେ,
ପ୍ରିୟ ପାଇଁ ଅନୁରାଗ,
ଯୁଗ ପରେ ଯୁଗ ବିତିଯାଉଅଛି,
ଲଭିବାକୁ ପ୍ରିୟ ସଙ୍ଗ ।
ଦୂର ଆକାଶରେ ପ୍ରିୟର ନିବାସ,
ବହୁ ଦୂରେ କମଳିନୀ
ପଲକ ପଡୁନି ଅନାଇ ରହିଛି,
ବିଧୂ ପ୍ରେମେ ପାଗଳିନୀ ।
ପ୍ରୀତିର ପୀୟୂଷ ଢାଳୁଛି ଚନ୍ଦ୍ରମା,
ଭିଜୁଛି କୁମୁଦ ତନୁ
ଅଭିସାରିକା ସେ ପ୍ରିୟ ବିରହରେ,
ରହିପାରେ ନାହିଁ ପ୍ରିୟ ବିନୁ ।
ଯୋଜନ ଯୋଜନ ଦୂରତା ବୁଝେନା,
ଦେଇଛି ଯେ ମନ ଥରେ
ନିବିଡ଼ ହୁଅଇ ପ୍ରୀତିର ବନ୍ଧନ,
ହୃଦୟ ତାହାକୁ ଝୁରେ ।
ହସେ ନୀଳ କଇଁ ନୀଳ ସରୋବରେ,
ନୀଳ ଜହ୍ନ ନୀଳିମାରେ
ଜୋଚ୍ଛନା ମହୁର ମଧୁର ପରଶେ,
ପ୍ରିୟ ଦେଖି ଆକାଶରେ ।
ଦେଖୁଛି ଦେଖିବ ପ୍ରୀତିରେ ମଜ୍ଜିବ,
ପାଇବାରେ ନାହିଁ ଲୋଭ
ପାଇଗଲେ ଥରେ ଆକର୍ଷଣ କମେ,
ପାଇବାରେ କିବା ଲାଭ ।
ଚାନ୍ଦ ପାଇଁ କଇଁ କଥା ଅଛି ରହି,
ରହିଥିବ କାଳକାଳକୁ
ଅଭେଦ ପ୍ରୀତିରେ ବାନ୍ଧି ହୋଇଛନ୍ତି,
ଛାଡ଼ି ଯିବେ ନାହିଁ ଆନକୁ ।
ଗଢ଼ିଛନ୍ତି ବିହି ଜଣେ ଆନ ପାଇଁ,
ପ୍ରତୀକ୍ଷାର ନାହିଁ ଅନ୍ତ
ଝୁରି ମରିବାରେ ବିରହ ନିଆଁରେ,
ମିଳିଥାଏ ମିଠା କଷ୍ଟ ।
ହାତ ବଢ଼ାଇଲେ ହାତ ତ ପାଏନା,
ହୃଦୟ ଯାଇଛି ଲାଖି
ଛଳନା ନଥାଏ ଚୀର ଶାଶ୍ୱତ,
ଦେଖେ ଦୁହିଁଙ୍କର ଆଖି ।