ଦୂର୍ବାଦଳ
ଦୂର୍ବାଦଳ
ଗାଈ ବାଛୁରୀ ଆସ ଆସ
ଖାଅ ସରସ ଦୂବ ଘାସ ।
ମନ ହୋଇବ ଛନଛନ
ଡିଆଁ କୁଦକୁ ହେବ ମନ ।
ଶ୍ୟାମଳ ଦୂର୍ବାଦଳ ମହୀ
ଆତ୍ମା ନୟନେ ତୃପ୍ତି ଦେଇ ।
ଚାରଣେ ହେଲେ ପାଦ ସ୍ପର୍ଶ
ପ୍ରାଣକୁ କରଇ ଉଲ୍ଲାସ ।
ପଥି ଔଷଧୀ ଦୂବଘାସ
ଦୂର୍ବା ରସରେ ବ୍ୟାଧି ନାଶ ।
ମରଣ ହରେ ତା ସପନ
ତା ଦେହୁ ଅମୃତ କ୍ଷରଣ ।
ଅମୃତମୟ ଏ ଜୀବନ
ଦୁର୍ବାର ମଧୁ ଆକର୍ଷଣ ।
ମଣିଷ ମରେ ବାର ବାର
ଜନମେ ସତ୍ୟ ଯେ ସୁନ୍ଦର ।
ଜୀବନ ବିଜୟୀ ବାରତା
ଦୂର୍ବା ପତ୍ରରେ ଅଛି ଲେଖା ।
ଦୂର୍ବା ଅକ୍ଷତ ଆଶୀର୍ବାଦ
ଖଣ୍ଡଇ ଦୂରିତ ବିପଦ ।
ବିଦ୍ୟା ଆରମ୍ଭ ଶ୍ରୀଗଣେଶ
ବିବାହ ବ୍ରତେ ଦୂର୍ବା ସ୍ପର୍ଶ ।
ଜୀବନ ଶାନ୍ତି ଶତଦଳ
ପ୍ରଶାନ୍ତ ନୀଳ ସୁକୋମଳ ।
ଜୀବନ ପୁଣ୍ୟ ମୁକ୍ତି ପଥ
ଦୂର୍ବା ମଙ୍ଗଳେ ସାମରଥ ।
