ଦୂବଘାସ
ଦୂବଘାସ
ଗାଈ ବାଛୁରୀ ଆସ ଆସ
ଖାଅ ସରସ ଦୂବ ଘାସ ।
ମନ ହୋଇବ ଛନଛନ
ଡିଆଁ କୁଦକୁ ହେବ ମନ ।
ଶ୍ୟାମଳ ଦୂର୍ବାଦଳ ମହୀ
ଆତ୍ମା ନୟନେ ତୃପ୍ତି ଦେଇ ।
ଚାରଣେ ହେଲେ ପାଦ ସ୍ପର୍ଶ
ପ୍ରାଣକୁ କରଇ ଉଲ୍ଲାସ ।
ପଥି ଔଷଧୀ ଦୂବଘାସ
ଦୂର୍ବା ଅକ୍ଷତେ ଶୁଭାଶିଷ ।
ମରଣ ହରେ ତା ସପନ
ତା ଦେହୁ ଅମୃତ କ୍ଷରଣ ।
ଅମୃତମୟ ଏ ଜୀବନ
ଦୁର୍ବାର ମଧୁ ଆକର୍ଷଣ ।
ମଣିଷ ମରେ ବାର ବାର
ଜନମେ ସତ୍ୟ ଯେ ସୁନ୍ଦର ।
ଜୀବନ ବିଜୟୀ ବାରତା
ଦୂର୍ବା ପତ୍ରରେ ଅଛି ଲେଖା ।
ଜୀବନ ଶାନ୍ତି ଶତଦଳ
ପ୍ରଶାନ୍ତ ନୀଳ ସୁକୋମଳ ।
ଜୀବନ ପୁଣ୍ୟ ମୁକ୍ତି ପଥ
ସଭିଙ୍କ ପୂରୁ ମନୋରଥ ।
...
