ଦୁର୍ଗେ ଦୁର୍ଗତି ନାଶିନୀ
ଦୁର୍ଗେ ଦୁର୍ଗତି ନାଶିନୀ
ଆସଗୋ ଜନନୀ ଦୁର୍ଗତି ନାଶିନୀ
ତ୍ରିଶୂଳ ଧାରିଣୀ ମାଆ
ରକ୍ଷା କର ମା' ଗୋ ତୁମରି ସନ୍ତାନେ
ବିପଦେ ତୁମେ ଯେ ସାହା ।
ଅସୁର ପ୍ରକୃତି ଧରିଛି ମନୁଷ୍ୟ
ଅତ୍ୟାଚାରୀ ଏ ମହୀରେ
ନାରୀର ସମ୍ମାନ ଧୂଳିସାତ ଏଠି
ବଞ୍ଚନ୍ତି ବହୁ କଷ୍ଟରେ ।
ନାରୀ ଜନ୍ମ ନେଇ ଅସୁରୁଣୀ ପରି
ବିଶୃଙ୍ଖଳିତ ହୁଅନ୍ତି
ନ ପାରନ୍ତି ସହି ଅନ୍ୟର ସୁଖକୁ
ଈର୍ଷାରେ ମନ୍ଦ ପାଞ୍ଚନ୍ତି ।
ବାଳୁତ ଶିଶୁ ବି ନୁହେଁ ସୁରକ୍ଷିତ
ବିପଦରେ ପଡ଼ୁଥାନ୍ତି
ତୁମ ଆଗମନେ ଭୟଶୂନ୍ୟ ସର୍ବେ
ଜୀବନ୍ତ ହୋଇ ଉଠନ୍ତି ।
ତୁମ ପଦାର୍ପଣେ ପାର୍ବଣର ଦିନେ
ଉଛୁଳି ପଡ଼ଇ ଧରା
ଯେତେ ଯେତେ ପାପୀ ହୁଅନ୍ତି ସନ୍ତାପି
ତୁମ ଆବିର୍ଭାବେ ପରା ।
ମା'ଗୋ ଦିବ୍ୟ ଶକ୍ତି ଦେଉଥାଅ ମୁକ୍ତି
ତ୍ରିନେତ୍ରେ ଧରିତ୍ରୀ ଦେଖ
ପାପ ବିନାଶିନୀ ତୁମେ ଗୋ ଜନନୀ
କୃପା ଦୃଷ୍ଟି ଟିକେ ରଖ ।