ଦୁନିଆଁ
ଦୁନିଆଁ
ଦୁଇ ନିଆଁ ମଧ୍ଯେ ଦୁନିଆଁ
ଆମ ରହିଛି ପରା ।
ଏନ୍ତୁଡ଼ି ନିଆଁରେ ଆରମ୍ଭ
ଯୂଇ ଶେଷ ଆଶରା ।
ଏନ୍ତୁଡି ନିଆଁର ଉଷ୍ମତା
ଭରି ଦିଏ ଜୀବନ ।
ଦେହକୁ ଦିଅଇ ତାକତ
ସର୍ବେ ହରଷ ମନ ।
ଦୁନିଆଁରେ କାଟେ ଜୀବନ
ପ୍ରାଣୀ ପର ଆୟତ୍ତେ ।
ନିଜ ଆୟତ୍ତରେ ନଥାଏ
ଦୁଃଖପୂର୍ଣ୍ଣ ଜଗତେ ।
ମିଛ ମାୟାର ଏ ସଂସାର
କେହି ନୁହେଁ କାହାର ।
ପ୍ରାରବ୍ଧ ବଶରେ ପ୍ରାଣୀଏ
ଆତଯାତ ଏଥିର ।
ପାପ ପୁଣ୍ୟ ମୋଟେ କାହାକୁ
ବିଭୁ ଦିଅନ୍ତି ନାହିଁ ।
ଦୁନିଆଁରେ ପ୍ରାଣୀ ସ୍ୱକର୍ମ
ଫଳ ଭୁଞ୍ଜଇ ରହି ।
ଜୀବନ ନାଟକ ସରିଲେ
ଯବନିକା ପଡଇ ।
ଛଅ ଖଣ୍ଡ କାଠ ମଣିଷ
ପାଇଁ ସଜ ହୁଅଇ ।
ଯୂଇ ନିଆଁରେ ଲଦା ହୋଇ
ହୁଏ ଅନ୍ତ୍ୟେଷ୍ଟି ତାର ।
ମଲା ଗଲା ଏ ଦୁନିଆରୁ
ବୋଲି ହୁଏ ପ୍ରଚାର ।
ନିଶ୍ବାସକୁ ନାହିଁ ବିଶ୍ବାସ
କେବେ ଯିବ ବାହାରି ।
ବାଳୁତ କୈଶୋର ଯୁବକ
ବୃଦ୍ଧ ତା ନବିଚାରି ।
କୀର୍ତ୍ତି ଥାଏ ଯାର କେବଳ
ସେହି ରହେ ଅମର ।
ଦୁନିଆର ଖେଳ ସରିବ
ଦିନେ ଦେହ ନଶ୍ବର ।
ସାର୍ଥକ ଜୀବନ ଗଢିବା
ଏନ୍ତୁଡି ଯୂଇ ମଧ୍ଯେ ।
ଧର୍ମାର୍ଥ ମୋକ୍ଷ ପଦ ଲଭି
ଥିବା ପରମାରାଧ୍ୟେ ।
