ଦୁନିଆ ଆଜି କାନ୍ଦେ
ଦୁନିଆ ଆଜି କାନ୍ଦେ
ଲକ ଡାଉନ :ଜୀବନ ଶିକ୍ଷା : କବିତା -7
କରୋନା କହୁଛି ଶୁଣ କୋଭିଡ ଭାଇ,
ସାରା ଦୁନିଆକୁ ତୁହି ଦେଲୁ କନ୍ଦେଇ |
ପଡ଼ିଆ କାନ୍ଦୁଛି ଦେଖ ପିଲା ନ ପାଇ,
ପାର୍କ କାନ୍ଦୁଛି ପ୍ରେମୀ ଯୁଗଳ ପାଇଁ;
ରାସ୍ତା ବି କାନ୍ଦୁଛି ଜନ ଗହଳି ନାହିଁ,
ସାରା ଦୁନିଆକୁ ତୁହି ଦେଲୁ କନ୍ଦେଇ |
ଗାଡ଼ି ଗ୍ୟାରେଜରେ କାନ୍ଦେ ଗଡୁନି ଚକ,
ଭିକାରି କାନ୍ଦେ ମନ୍ଦିର ମିଳୁନି ଭିକ;
ଭକ୍ତ କାନ୍ଦୁଛନ୍ତି ଘରେ ଲୁହ ଗଡ଼େଇ,
ସାରା ଦୁନିଆକୁ ତୁହି ଦେଲୁ କନ୍ଦେଇ |
ବିଦ୍ୟାଳୟ କାନ୍ଦେ ପାଠ ପଢ଼ା ହେଉନି,
ପ୍ରେକ୍ଷାଳୟ କାନ୍ଦେ କେହି ଭଡ଼ା ନେଉନି;
ଚିଡ଼ିଆଖାନାରେ ବାଘ କାନ୍ଦେ ଧକେଇ,
ସାରା ଦୁନିଆକୁ ତୁହି ଦେଲୁ କନ୍ଦେଇ |
ଦୋକାନ କାନ୍ଦି କହୁଛି ବେପାରି ଭାଇ,
କବାଟ ଖୋଲୁନା ଲାଗି ଗଲାଣି ଉଈ;
ହୋଟେଲ କାନ୍ଦୁଛି ଘର ଛାତକୁ ଚାହିଁ,
ସାରା ଦୁନିଆକୁ ତୁହି ଦେଲୁ କନ୍ଦେଇ |
ଉଡ଼ାଜାହାଜ କାନ୍ଦୁଛି ଭାଗ୍ୟକୁ ନିନ୍ଦି,
ରେଳଗାଡ଼ି କାନ୍ଦେ ନିଜ ଗୋଡ଼କୁ ଛନ୍ଦି |
ବସ ଚାଲୁନି ବୋଲି କାନ୍ଦୁଛି ଶୋଇ,
ସାରା ଦୁନିଆକୁ ତୁହି ଦେଲୁ କନ୍ଦେଇ |
କାରଖାନା କାନ୍ଦି କହେ ଗଲା ମୋ ବଳ,
କଳଙ୍କ ଲାଗି ମେସିନ ହେଲା ଅଚଳ;
ଶ୍ରମିକ କାନ୍ଦନ୍ତି କୋରେଣ୍ଟାଇନ ଯାଇ,
ସାରା ଦୁନିଆକୁ ତୁହି ଦେଲୁ କନ୍ଦେଇ |
ଧର୍ମପୀଠ ପର୍ଯ୍ୟଟନ ସ୍ଥଳ କାନ୍ଦୁଛି,
ମଲ କାନ୍ଦୁଛି ଜିମ ତାଲା ପଡ଼ିଛି |
ଦେଖାଇ ଦେଲୁ ତୋ' ବଳ ଦେଖା ନ ଦେଇ |
ସାରା ଦୁନିଆକୁ ତୁହି ଦେଲୁ କନ୍ଦେଇ |
