ଦୁଇ ଦିନ ଯଉବନ
ଦୁଇ ଦିନ ଯଉବନ
ରୂପ ଯଉବନ ଅଢେଇ ଦିନର
ଆଜି ଅଛି କାଲି ନାହିଁ
ରୂପର ଗରବେ ଯୌବନ ଈର୍ଷାରେ
ଅହମିକା କାହିଁ ପାଇଁ।
ଦିନ ପରେ ରାତି ଆସି ଯେମିତି
ଆଲୋକ ପରେ ଅନ୍ଧାର
ରୂପ ଯଉବନ ହୁଏ ପ୍ରତ୍ଯାଖ୍ଯାନ
କାଳରେ ହେବ ବିଲୀନ।
କାଳରେ କବଳେ ପାଦପ ପଲ୍ଲବ
ଆପେ ଆପେ ଝଡି ଯାଏ
କାଳ ସରି ଗଲେ ସୌନ୍ଦର୍ଯ୍ୟ ଚାତୁରୀ
କଦର୍ଯ୍ୟ ଯେ ହୋଇ ଯାଏ।
କାଗଜ କୁସୁମ ଦିସେ ମନୋରମ
ସୌନ୍ଦର୍ଯ୍ୟ ତୁଳନା କାହିଁ
ସୁଗନ୍ଧି ବିହୀନ ସୁମନ ସମାଜେ
ଆଦର କରେ କି କେହି।
ରୂପ ଯଉବନ ଭରା ନଦୀ ସମ
ଦୃଶ୍ଯ ରାଜି ମନୋରମ
ଭ୍ରମରେ ଭଁଅରେ ପତିତ ମାନବ
ଭ୍ରମିଣ ହାରେ ଜୀବନ।
କୃଷ୍ଣ ପକ୍ଷ ଜହ୍ନ ମଧୁର ସପନ
ହୁଏ କି କେବେ ପୂରଣ
ମାୟା ମୃଗ ପଛେ କସ୍ତୁରୀ ଖୋଜିବା
ବୃଥା ହୁଅଇ ଜୀବନ।
ରୂପ ଯଉବନ ହୋଇବ ନିଶ୍ଚିହ୍ନ
ଚର୍ମ ହୋଇବ କୁଞ୍ଚନ
କଳା କେଶ ସର୍ବ ଧବଳ ହୋଇବ
ପଞ୍ଚଭୂତେ ହେବ ଲୀନ।
ଅଢେଇ ଦିନର ଏହି ଯଉବନ
ଶରୀରକୁ ଛାଡି ଯିବ
ମିଛଟା ରେ ପଡି ତା'ପଛେ ଦଉଡି
ଶ୍ମଶାନ ବାସୀ ହୋଇବ।
ମିଛ ମରିଚିକା ପଛେ ଧାଉଁ କାହିଁ
ସୁନ୍ଦର ଏହି ସଂସାରେ
ଭଜି ଜଗା ନାମ କରି ସଂକୀର୍ତ୍ତନ
ସମର୍ପି ଜଗା ପୟରେ।
