STORYMIRROR

Partha Sabar

Inspirational

4  

Partha Sabar

Inspirational

ବ୍ରହ୍ମା ବିଷ୍ଣୁ ମହେଶ

ବ୍ରହ୍ମା ବିଷ୍ଣୁ ମହେଶ

1 min
280


ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ମହେଶ୍ୱର

ଗୁରୁ ସତ୍ୟ ଗୁରୁ ଶିବ ଗୁରୁ ହିଁ ସୁନ୍ଦର

   ପୂଜ୍ୟ ଘେନ ନମସ୍କାର

ତୁମର ଆଶିଷେ ଗଢା ମୋହର ସଂସାର।


ଆଦ୍ୟ ଗୁରୁ ପିତା ମାତା ମୋର ଜନ୍ମ ଦାତା

ଦେଲେ ଜନ୍ମ ଦେଲେ ଶିକ୍ଷା ସଂସ୍କାର ବାରତା

  ବ୍ୟବହାର ସଦାଚାର

କୋଟି ପ୍ରଣିପାତ କରେ ବାରେ ଘେନ କର।


ଜନ୍ମ କର୍ତ୍ତା ମାତା ପିତା ଗୁରୁ ଦ୍ୟନ୍ତି ପ୍ରାଣ

ମାଟି ପିଣ୍ଡୁଳା ମଧ୍ୟରେ ପିଣ୍ଡ କଲ ଦାନ

    ଗୁରୁଦେବ ଅଟ ବ୍ରହ୍ମା

ଶିଷ୍ୟ ପ୍ରାଣ ପ୍ରତିଷ୍ଠାତା କର ଜୀବ ଦାନ।


ମାନବ ଜୀବନ ପୂର୍ଣ୍ଣ ସଙ୍କଟ କଷଣ

ପଦେ ପଦେ ପ୍ରତିଘାତ କଣ୍ଟକିତ ପୁଣ

    ରକ୍ଷା କର୍ତ୍ତା ବିପଦରୁ

ପରମ କୃପାଳୁ ଗୁରୁ ବିଷ୍ଣୁ ମହାମେରୁ।


ଜୀବନର ପ୍ରତି ଦୋଷ କରୁଛ ସଂହାର

ଜ୍ଞାନାଲୋକେ ଦୂର କର ଆଜ୍ଞାନ ତିମିର

  ଆହେ ଗୁରୁ ମହେଶ୍ୱର

ବିଧାତା କ୍ରୋଧରୁ ଗୁରୁବର ରକ୍ଷା କର।


ଅଜ୍ଞାନ ଅନ୍ଧାର ମଧ୍ୟେ ଜ୍ଞାନ ପରକାଶ

କାମ କ୍ରୋଧ ଲୋଭ ମୋହ ଷଡରିପୁ ନାଶ

    ତ୍ରିଗୁଣ ସୃଷ୍ଟି ରହସ୍ୟ

ଆଶୀର୍ବାଦେ ଯା'ର ମୋକ୍ଷ ଲାଭ କରେ ନର।


ଗୁରୁ ରୂପରେ ଈଶ୍ଵର ଛନ୍ତି ବିଦ୍ୟମାନ

ଈଶ୍ୱର ସାନିଧ୍ୟ ଜ୍ଞାନ ପଥ ପ୍ରଦର୍ଶନ

  ଈଶ୍ୱର ଅନୁସନ୍ଧାନ

ଗୁରୁକୃପା ବଳେ ଆକାଂକ୍ଷା ହୁଏ ପୂରଣ।


ସାଂସାରିକ ମୋହ ମାୟା ଯେତେକ ବନ୍ଧନ

ଶାଶ୍ଵତ ଆନନ୍ଦ ମୋକ୍ଷ ପ୍ରାପ୍ତି ତବ ଜ୍ଞାନ

       ଜନମ ମରଣ ଚକ୍ର

ବିଷୟ ବାସନା ମୁକ୍ତ ଦାନ କର ନେତ୍ର।


ସାର୍ଥକ ହୁଏ ଜୀବନ ପରଶରେ ଯା'ର

ଅଙ୍ଗାରୁ ହୀରକ ହୁଏ ଲୌହରୁ କନକ

     ଗୁରୁ ପଥ ପ୍ରଦର୍ଶକ

ମହା ସେତୁ ବନ୍ଧ ଗୁରୁ ଜ୍ଞାନ ସଂଯୋଜକ।


ଅମୃତର ଜ୍ଞାନ ଦାନେ କରାଅ ଦର୍ଶନ

ଗତି ମୁକ୍ତି ଶକ୍ତି ଗୁରୁ ଜ୍ୟୋତି ଅମଳିନ

ଗୁରୁ ପଦ ପାଦ ରଜ

କଳୁଷ ଜୀବନ ମଧ୍ୟେ ମୁକତିର ବୀଜ।


ନଶ୍ଵର ସଂସାରେ ସତ୍ୟ ଗୁରୁ ହିଁ ଈଶ୍ୱର

ଗୁରୁ ବିନା ଲଭ୍ୟ ନୁହେଁ ଜ୍ଞାନର ଭଣ୍ଡାର

 ଅବିନାଶୀ ଗୁରୁବର

ଗୁରୁ ବ୍ରହ୍ମା ବିଷ୍ଣୁ ଶିବ ନମଣିବ ନର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational