STORYMIRROR

Tapaswini DashSarangi

Tragedy Classics Inspirational

4  

Tapaswini DashSarangi

Tragedy Classics Inspirational

ଦୁଃଖିନୀ ହବିଷ୍ୟାଳି

ଦୁଃଖିନୀ ହବିଷ୍ୟାଳି

1 min
405

କାହିଁ ନିରିଦୟ ହେଲ ହେ ଠାକୁର

ଦଉଛ ଦାରୁଣ ଦୁଃଖ

ତୁମ ଶିରିମୁଖ ହୋଇଲା ସପନ

ହୋଇଲ କିଆଁ ବିମୁଖ।


ଶୁଖିଲାଣି ତରୁ ଝଡିଲା ପଲାଶ

ଶଙ୍କୁ ସମ ଏ ଜୀବନ

ସରିଲାଣି ତେଲ ଜଳିଲା ବଳିତା

ଲିଭିଯିବ କେବେ ପ୍ରାଣ।


ଆହେ ନାରାୟଣ ଭାଙ୍ଗ ହେ ଗୁମାନ

ମିଳନର ଆଜ୍ଞା ଦିଅ

ମନୁ ଅହମିକା ରିଷା-ଦ୍ଵେଷ-ମାନ

ସବୁକୁ ପାଶୋରି ଯାଅ।


ରାଈ ଦାମୋଦର ପୂଜା କରେ ସିନା

ତୁମ ବିନା ଲାଗେ ଫିକା

ଅଳପ ଆୟୂଷ କାଳେ ସରିଯିବ

ମନରେ ପଶେ ମୋ ଶଙ୍କା।


ତୁମରି ଆଶ୍ରିତେ ଜୀବନ ମୋହର

ବାର୍ଦ୍ଧକ୍ୟରେ ଉପନୀତ

ହାତ ଛାଡିଦେଇ ବେସାହାରା କରି

ହସୁଅଛ ଜଗନ୍ନାଥ।


ଜଳ ବିନା ମୀନ ହୁଅଇ ଯେସନ

ତୁମ ବିନା ଏଇ ଚିତ୍ତ

ଦୁଃଖିନୀର ଦୁଃଖ ଅଦେଖା କରନି

ରାଣ ଦେଲି ଲକ୍ଷ୍ମୀକାନ୍ତ।


ଆର ବରଷକୁ ଥିବି କି ନଥିବି

ସେ କଥା ଜାଣିନି ମୁଁହି

ଚାତକିନୀ ପରି ଅନେଇ ରହିବି

କୃପାର ବାରିଧି ପାଇଁ।


 



   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy