ଦୁଃଖ
ଦୁଃଖ
ଦୁଃଖକୁ ଆଜି ମୁଁ ଆଦରି ନେଇଛି ଅନ୍ଧାରକୁ ସାଥିକରି,
ନିରାଶା ବାଲିରେ ପାଦ ଥାପିଚାଲେ ଛାତିରେ କୋହକୁ ଧରି | 1
ଯାତନା ଯାହାର କପାଳରେ ଲେଖା ସେ ସୁଖ ପାଇବ କାହୁଁ ?
ଆଶାର ସପନ ଦେଖିବା ଆଗରୁ ଲିଭିଯାଏ ଚାହୁଁ ଚାହୁଁ | 2
ଲୁହରେ ପଖାଳେ ନିତି ମୋର ଆଖି ମନଟା ଯାଇଛି ମରି,
ଚାଲିଛି ମୁଁ ଏକ ଚାଲୁଥିବି ଏକା ହୃଦୟରେ ବିଷଭରି | 3
କୁହୁଡ଼ି ପହଁରା ସରିଯାଇଛି ମୋ ଅନ୍ତରେ ଜଳୁଛି ନିଆଁ,
ଅତୀତକୁ ଆଉ ଝୁରିହେବି କିଆଁ ଭୁଲିଛି ନିଜର ନାଆଁ | 4
ମଣିଷ ଜୀବନ ଦୁଃଖ-ସୁଖଭରା ଖରସ୍ରୋତା ବଙ୍କାନଈ,
ଗୋଟିଏ କୂଳକୁ ପୋତିଚାଲେ ପୁଣି ଆରକୁଳ ଯାଏ ଖାଇ | 5
ଦୁଃଖର ଲହଡ଼ି ମାଡ଼ିଆସି କେତେ ଭାଙ୍ଗିଦିଏ ଅଣ୍ଟାବଳ,
ମନର ନୌକା ବୁଡ଼ିଯାଏ କେବେ ପାଏନାହିଁ ଥଳକୂଳ | 6
ଆଶାର ଆହୁଲା ଭରସାରେ କାତ କେବେ କାମ କରେନାହିଁ,
ସେ ସୁଖରେ ମାତି ନିଜକୁ ଭୁଲେ ଯେ ଜୀବନକୁ ଭୁଲେ ସେହି | 7
ସାହସ ଜୁଆର ଆସେ ଧୀରେ ଧୀରେ ଭଟ୍ଟା ପଡ଼ିଯାଏ ଦୁଃଖ,
ଫେରନ୍ତା ପାଣିରୁ ସୁନାର ଇଲିସି ଆସି ଯାଚିଦିଏ ସୁଖ | 8
ସାଗର ହୋଇ ମୁଁ ସବୁଠାରୁ ଦୁଃଖୀ ସବୁଥାଇ କିଛିନାହିଁ,
ରତ୍ନାକର ସିନା ହାତ ପାଟିଛି ମୁଁ ଟିକିଏ ଶରଧା ପାଇଁ | 9
ଢେଉ ପିଟାଖାଇ ପଥର ହୋଇଛି କୋମଳ ହୃଦୟ ମୋର,
ଲବଣ ବହୁଳେ ଜଳେ ମୋ ଶରୀର ଅନ୍ତରେ ହାହାକାର | 10
ମାଟିକୁ ଦେଖିଲେ ଲହଡ଼ି ଆତୁରେ ଛୁଇଁବାକୁ ଯାଏ ଧାଇଁ,
ମୋ ସ୍ନେହ କଣିକା ମାଟିର ଛାତିରେ ଝରିପଡ଼େ ମେଘହୋଇ | 11
ଯେମିତି ଶରୀର ସେମିତି ଗଭୀର ବିରାଟ ମୋ ରାଜ୍ୟ ସୀମା,
ତଥାପି ମୋ ଭୋକ ମେଣ୍ଟିପାରେ ନାହିଁ ମାଗେ ମୁଁ ମାଟିର ଚୁମା | 12
ସୁଖଋତୁ ପରେ ଦୁଃଖଋତୁ ଆସି ପ୍ରୀତିବୃକ୍ଷ ଦୋହଲାଏ,
ସୁଖ ସପନରେ ନିଆଁ ଲାଗିଗଲେ ସେ ସପନ ଦୁଃଖଦିଏ | 13
ଜୀବନ ସୂର୍ଯ୍ୟ ମୋ ଉଇଁ ଆସିଥିଲା ଆଶାର ଦିହୁଡ଼ି ଜାଳି,
ଦୁଃଖ ଦରିଆରେ ଅସ୍ତହେଲା ସୂର୍ଯ୍ୟ ଅନୁତାପେ ଯାଏ ଜଳି | 14
