ଦୁଃଖ
ଦୁଃଖ
ସୁଖ ରାତି ସିନା ଶୀଘ୍ର ପାହି ଯାଏ
ଦୁଃଖ ରାତି ସରେ ନାହିଁ
ଭାଇ ବନ୍ଧୁ ସାଥି ସହଚର ଧରି
ସିଏ ଆସି ଥାଏ ତହିଁ ।
ଗୋଟେ ଦୁଃଖ ବନ୍ଧୁ ଚାଲି ଗଲା ପରେ
ଆଉ ଗୋଟେ ମାଡି ବସେ
ବାକି ଯାହା ଟିକେ ଜୀବନରେ ଥାଏ
ସିଏ ଧୋଇ ନେଇ ହସେ ।
ସହି ହୁଏ ନାହି ସେ ଦୁଃଖର ଢେଉ
ନା କହି ହେଇଥାଏ
ଗୁମୁରି ଗୁମୁରି କାନ୍ଦୁ ଥାଏ ସିଏ
ନା ସାଥି ଥାଏ କିଏ ?
ଏକୁଟିଆ ବସି ତା ଭାଗ୍ୟ ଆକାଶ
କଳା ବାଦଲକୁ ଚାହେଁ
ନିରାଶା ଜୀବନେ ଝଡ ତୋଫାନର
ବତାସ ପବନ ବହେ ।
ଏକାନ୍ତ ବାଟର ବାଟୋଇ ସାଜି ସେ
ନିଜକୁ ତଉଲୁ ଥାଏ
ଆଶ୍ରୟ ଟିକିଏ ପାଇବା ପାଇଁ ନା
ପାନ୍ଥଶାଳା ଟିକେ ପାଏ ।
ଦୁଃଖକୁ ତାହାର ସାଥି କରି ସିଏ
ଏକୁଟିଆ ଚାଲି ଥାଏ
ଏତେ ବଡ ଏଇ ଦୁନିଆରେ ତାର
ନା କିଏ ନିଜର ହୁଏ ?
ହାତେ ମାପି ସିଏ ଚାଖଣ୍ଡେ ଚାଲଇ
ନା ନିନ୍ଦା ପିଛା ଛାଡଇ
ଚାଖଣ୍ଡେ ସିଲେଇ କରୁ ଥାଏ ଯେବେ
ଆପେ ହାତେ ଚିରି ଥାଇ ।
ଯେ ଡାଳ ଧରଇ ସେ ଡାଳ ଭାଙ୍ଗଇ
ଏମିତି ଦୁଃଖୀଟେ ସିଏ
ସେ ଦୁଃଖ ଭିତରେ ନିଜକୁ ହଜେଇ
ତଥାପି ସେ ହସୁ ଥାଏ ।
ସେ ହସ ଭିତରେ ବିରାଟ କାହଣୀ
ରହିଛି ତାହାର ଲେଖା
ପଢି ପାରନ୍ତି ନି ସେ ଦୁଃଖକୁ କେହି
ଅଭୁଲା ସ୍ମୃତି ସେ ରେଖା ।
ଦୁଃଖକୁ ତାହାର ସୁଖ ଭାବି ନେଇ
ଦୁଃଖରେ ବି ହସୁ ଥାଏ
ହେଲେ ସେଇ ଦୁଃଖ ନା ଛାଡେ ପାଖ
ଏମିତି ଦୁଃଖୀଟେ ସିଏ ।
ଦୁଃଖ ବେଳେ ଯେତେ ଦୁଃଖ ବି କରିଲେ
ନା ଦୁଃଖ ଛାଡି ଥାଏ
ସେ ଦୁଃଖରେ ଯିଏ ଭାଙ୍ଗି ପଡି ଥାଏ
ସେ ସେଇଠି ହାରି ଯାଏ ।
ଏମିତି ଜଣେ ତ କେହି ବି ତ ନାହିଁ
ଯା କପାଳେ ଦୁଃଖ ନାହିଁ
ଦୁଃଖରେ ସଂଘର୍ଷ କରି ଯିଏ ବଞ୍ଚେ
ତିଷ୍ଠି ପାରି ଥାଏ ମହୀ ।
ଓଲଟ ପାଲଟ ଏଇ ଭାଗ୍ୟରେଖା
ଉତ୍ଥାନ ପତନ ଥାଏ
ଦୁଃଖ ସାଥେ ଯିଏ ସାଥି ହେଇଥାଏ
ଦୁଃଖ ଦିନେ ହାରି ଯାଏ ।
ଦୁଃଖ ବେଳେ ଯିଏ ଭାଙ୍ଗି ପଡି ଥାଏ
ଦୁଃଖଟି ଡରେଇ ଥାଏ
ଜୀବନର ସବୁ ଖୁସି ସେ ଛଡେଇ
ଲୁହରେ ଭସେଇ ଦିଏ ।
ଦୁଃଖର ପାହାଡ ଯେତେ ଆସି ଯାଉ
ଧୈର୍ଯ୍ୟ ଧରି ସହେ ଯିଏ
ଏଇ ଦୁନିଆରେ ଦିନେ ହେଲେ ନିଶ୍ଚେ
ସିଏ ଜିତି ଯାଇ ଥାଏ ।
ତାହାହେଲେ କାହିଁକି ଦୁଃଖ ବେଳେ ଆମେ
ଝରେଇବା ଆଖି ଲୁହ
ସେଇ ଲୁହ କେବେ ବଞ୍ଚିବା ଦିଏନି
ଭରେ ସେ ଯନ୍ତ୍ରଣା କୋହ ।