ଦୁଃଖ ନଦୀ ତୀରେ
ଦୁଃଖ ନଦୀ ତୀରେ
ବହେ ଦୁଃଖ ନଈ ଅଦୃଶ୍ୟେ ଉଜାଣି
ମିଳେ ନାହିଁ ଥଳକୂଳ
ଅଲଙ୍ଘ୍ୟ ଉତ୍ତାଳ ସ୍ରୋତ ତା ପ୍ରଖର
ବେଳୁବେଳ ବିକଟାଳ ।
ବଢେ ଅପ୍ରମିତ ଦୁଃଖ ଅନ୍ତସ୍ରୋତ
ଅବାରିତ ଲୁହଧାରେ
ଭାସୁଛି ଜୀବନ ଅତି ଅସହାୟ
ବନ୍ୟା ଦୁଃଖ ନଦୀ ତୀରେ ।
ନଦୀର ଉଦ୍ୟମ ଦିଶେ ଧୂଆଁ ଧୂଆଁ
ପାହାଡ଼ ପ୍ରତିବନ୍ଧକ
ସୃଜିଛି ମଣିଷ ବୁଦ୍ଧି ଅବିବେକ
ନୁହେଁ ତାହା ପ୍ରାକୃତିକ ।
ମାୟା ମରିଚୀକା ସୁଖ ପ୍ରହେଳିକା
ପଛେ ନିତ୍ୟ ସିଏ ଧାଇଁ
ବିନାଶ କରଇ ବନ ସବୁଜିମା
ରୋଗକୁ ଔଷଧ ନାହିଁ ।
ଦୂଷିତ କୂପିତ ଜଳ ସ୍ଥଳ ବାୟୁ
ସଙ୍କଟରେ ପରିବେଶ
ଡାକେ ତ୍ରାହି ତ୍ରାହି ଜୀବନ ସୁନ୍ଦର
ବିଶ୍ୱାସେ ଭରିଛି ବିଷ ।
ଦୁଃଖ ନଦୀ ତୀରେ ଉତ୍କଟ କରାଳ
ଗ୍ରାସେ ରାହୁକେତୁ କାଳ
ବିଚରା ମଣିଷ ଦୁଃଖର କାରଣ
ନିନ୍ଦୁଛି ନିଜ କପାଳ ।
ଉଦ୍ଭାସ କିରଣ ଉଦୟ ଅରୁଣ
ଆଶାତରୀ ଦିଅ ଫେଇ
ବିତୁ ଦୁଃଖ ଦିନ ନୀଳାଚଳ ନାଥ
ନୀଳଚକ୍ର ବାନା ଚାହିଁ ।
