ଦୁହିତା
ଦୁହିତା
ଦୁଇ କୁଳ ହିତା ବୋଲି ତ ନାଆଁଟି
ହୋଇଛି ତାର ଦୁହିତା
ଗୋଟିଏ ପଟରେ ଶାଶୁଘର ଥାଏ
ଗୋଟେ ପଟେ ଥାଏ ପିତା ।
ଗୋଟିଏ କୁଳରେ ଜନ୍ମ ହେଇ ସିଏ
ଗୋଟିଏ କୁଳକୁ ଯାଏ
କନ୍ୟା ପଦବୀରୁ କୁଳବଧୂ ପଦ
ଆଖ୍ୟା ତାକୁ ଦିଆଯାଏ ।
ବାପ ଘରେ କନ୍ୟା କେତେ ଅଲିଅଳେ
ଗେହ୍ଲା ଭାବେ ବଢିଥାଏ
ପାଠ ଶାଠ ପଢି ସାଙ୍ଗ ସାଥୀ ମେଳେ
ଖେଳି ସମୟ ବିତାଏ ।
ବ୍ୟବହାର ଶିଷ୍ଟାଚାର ଭଲ ବୁଦ୍ଧି
ସଂସ୍କାର ଚରିତ୍ରବତୀ
ବୁଦ୍ଧିମତୀ ହେଇ ଲଜ୍ଜାଶୀଳା ହୁଏ
ହେଇଥାଏ ଗୁଣବତୀ ।
କନ୍ୟା ଥିଲା ବେଳେ ଘରର ସମ୍ମାନ
ପଦ ମର୍ଯ୍ୟଦା ସେ ରଖେ
ପରିବାର ଠାରୁ ସୁପୁତ୍ରୀ ହୋଇଣ
ଘର କରଣା ସେ ଶିଖେ ।
ବିବାହ ସମୟ ଆସିଯାଏ ଯେବେ
ସାଜେ କନ୍ୟା ରତ୍ନ ସିଏ
ପରିବାର ଠାରୁ ସଢଣା ଶିଖିଣ
ବିବାହ ସେ କରିଥାଏ ।
ବେଦୀରେ ବସିଣ ଅଗ୍ନି ସାକ୍ଷୀ ରଖି
ସାତଫେରା ନିଏ ସିଏ
ମଥାରେ ସିନ୍ଦୂର ହାତେ ଶଙ୍ଖା ନାଇ
ପରଗୋତ୍ରୀ ହେଇଥାଏ ।
ଆଞ୍ଜୁଳି ଚାଉଳ ପଣତରେ ଦେଇ
ଘରର ଏରୁଣ୍ଡି ଡେଇଁ
କୁଳବଧୁ ହେଇ ଚାଲି ଯାଏ ସିଏ
ମଥାରେ ଓଢଣୀ ଦେଇ ।
ଶାଶୁ ଘରେ ପାଦ ରଖେ ଯେବେ ସିଏ
ଗୃହଲକ୍ଷ୍ମୀ ପଦ ପାଏ
ପରକୁ ଆପଣା ଡୋରେ ଛନ୍ଦି ସିଏ
ଘରଣୀ ବୋଲାଇ ଥାଏ ।
ଏପଟେ ରହିଲେ ପିତା ମାତା ତାର
ସେପଟେ ଶାଶୁ ଶଶୁର
ଭାଇ ଭଉଣୀଙ୍କୁ ଛାଡିଣ ସେ ପାଖେ
ପାଏ ନଣଦ ଦେବର ।
ପିତା କୁଳକୁ ସେ ଅଧାରେ ଛାଡିଣ
ଶାଶୁ ଘର ପୂରା କରେ
ଦୁଃଖ ସୁଖକୁ ସେ ଆପଣେଇ ନେଇ
ରହିଥାଏ ଶାଶୁ ଘରେ ।
ସମସ୍ତଙ୍କ ମନ ନେଇ ଚଳେ ସିଏ
ସବୁ ଦାଉ ଦକା ସହି
ଯେତେ ଦୁଃଖ କଷ୍ଟ ଯନ୍ତ୍ରଣା ତା ହେଉ
ନା ଥାଏ କାହାକୁ କହି ।
ବାପ ଘର କଥା ମନରେ ସେ ରଖେ
ଶାଶୁଘର କଥା ସବୁ
କାହାରି ଆଗରେ ପ୍ରକାଶ କରେନି
କହେନି ବାପ ଘରକୁ ।
ଶାଶୁ ଘରେ ଯେବେ ଭଲ ବୋହୁ ହୁଏ
ବାପ ଘର ନାଆଁ ପଡେ
ତା ପାଇଁ ବାପାର ସମ୍ମାନ ବଢଇ
ଶଶୁର ସମୁଦି ଲୋଡେ ।
ଦୁଇ ପରିବାର ଏକ ହେଇ ଥାଏ
ଏଇତ ଦୁହିତା ପାଇଁ
ଦୁଇ କୁଳ ନାଆଁ ରହେ ଦୁହିତାଟି
ଭଲ ଯଦି ଥାଏ ହେଇ ।
ଶାଶୁଘରକୁ ସେ ନିଜର ଭାବିଣ
ସେବା ତାଙ୍କ କରୁ ଥାଏ
ନମ୍ର ବ୍ୟବହାର ଭଦ୍ରାମୀ ଦେଖାଇ
ସଭିଁଙ୍କ ନିଜର ହୁଏ ।
ଦୁହିତାଟି ଯଦି ଭଲ ହେଇଥାଏ
ବାପର ସମ୍ମାନ ରହେ
ନ ହେଲେ ବାପଟି ଅପମାନ ପାଇ
ଫେରି ଥାଏ ଆଖି ଲୁହେ ।
ଦୁହିତାଟି ପାଇଁ ପରିବାର ହସେ
ଅଶାନ୍ତି ବି ସୃଷ୍ଟି ହୁଏ
ଦୁହିତା ଚାହିଁଲେ ଦୁଇଟି କୂଳର
ମର୍ଯ୍ୟଦା ବଢାଇ ଥାଏ ।
ବାପ ଘରେ ତାର ଏନ୍ତୁଡି ଜଳଇ
ଶାଶୁ ଘରେ ତା କୋକେଇ
ମଶାଣୀ ଜୁଇରେ ଜଳି ଯାଏ ସେଠି
ମୁଠାଏ ପାଉଁଶ ହେଇ ।
