ଦୁହିତା
ଦୁହିତା
ବିଧାତା ସୃଷ୍ଟିର କଳା ନୈପୁଣ୍ୟର ସାଫଲ୍ୟ ଦୁହିତା
ସୃଷ୍ଟି ରକ୍ଷାକର୍ତ୍ତ୍ରୀ କନକ ବ୍ରତତି ଦୁଇ କୁଳ ହିତା ।
ଲାବଣ୍ୟ ପ୍ରତିମା ସ୍ନେହସୁଖ ସୀମା ରତନର ଖଣି
ହସରେ ଭାଷରେ ଲୀଳା ବିଳାସରେ ସରସ କରଣି ।
ବିଦ୍ୟାରେ ବୁଦ୍ଧିରେ ଘର କରଣାରେ ବୋଲାଏ ପ୍ରବୀଣା
କଳକଣ୍ଠ ସ୍ଵନ ଭୁବନ ମୋହନ ବାଣୀରାଣୀ ବୀଣା ।
କିଶୋରୀ ମୋହିନୀ ଲୀଳା ବିଳାସିନୀ କମଳ କୋମଳା
କ୍ରମେ ଯୌବନରେ ପଦାର୍ପଣ କରେ ଧରେ କାମକଳା ।
ପିତା ମାତା କୋଳ ଛାଡ଼ି ବର କର ଧରି ଶାଶୁଘର
ଯାଏ ଜନ୍ମମାଟି ବକ୍ଷେ ଛାଡ଼ିଦେଇ ଅମ୍ଲାନ ସ୍ଵାକ୍ଷର ।
ନିଜ ଲୋକ ପର ପରହିଁ ନିଜର ବିଚିତ୍ର ସଂସାର
ବାଲ୍ୟସ୍ମୃତିରାଶି ଉଠଇ ଉଦ୍ଭାସି ବେଳ ପରୀକ୍ଷାର ।
ଏଇ ଶାଶୁଘର କର୍ମ କ୍ଷେତ୍ର ତାର ଜୀବନର ତୀର୍ଥ
ଶ୍ୱଶୁରାଳୟରେ ନୂଆ ଜଗତରେ ହୁଏ ପରିଚିତ ।
ପରକୁ ଆପଣା କରିବାର କଳା ସାଧନେ ତତ୍ପର
ଶାଶୁ ଶ୍ୱଶୁରଙ୍କ ପ୍ରିୟ ବୋହୂ ଅଙ୍କରଙ୍କ ସ୍ୱାମୀଙ୍କର ।
ନଣନ୍ଦର ଗେହ୍ଲି ସୋହାଗି ଭାଉଜ ଦିଅରର ପ୍ରିୟ
ଦେଢଶୁର ଯାଆ ଝିଆରୀ ପୁତୁରା ପାଇଁ ଅଦ୍ଵିତୀୟ ।
ନିଜେ ଜଳି ଦୀପ ଶିଖା ପରି କରେ କର୍ତ୍ତବ୍ୟ ପାଳନ
ସରଗ ଭୁବନ କରଇ ସଦନ ସେ ବାଳା ରତନ ।
ବାପଘର ଟେକ ରଖେ ଶାଶୁଘରେ ହୁଏ ପ୍ରଶଂସିତା
ଦୁଇ କୁଳ ହିତ ସାଧିବାରୁ ନାମ ବୋଲାଏ ଦୁହିତା ।
ଝିଅର କୃତ୍ତିତ୍ୱ ଗର୍ବେ ଉଲ୍ଲସିତ ପିତାଙ୍କ ଆଳୟ
ସହଜେତ ହସି ଉଠୁଥାଏ ସଦା ଶ୍ୱଶୁର ନିଳୟ ।
ଯାହାର ବିଛେଦ ଘଡ଼ିଏ ମାତର ସହେନାହିଁ ପରିବାର
ନାହିଁ ତା ଉପମା ସେତ ନିରୁପମା ଗୃହଲକ୍ଷ୍ମୀ ଶୋଭାଗାର ।
ଦୁହିତା ଜନମ ସଂସାରରେ ସାର ନମଣ ଟି ହେୟ
ଦୁହିତାକୁ କର ସବୁଠୁ ଆଦର ହେଉ ସେ ଅଜେୟ ।
