ଦୋଷ ଦେବେନି ମୋତେ
ଦୋଷ ଦେବେନି ମୋତେ
ପ୍ରତ୍ୟେକ ଗାଁରେ, ରାସ୍ତା କଡରେ,
ସହରର ଗଳି ଭିତରେ,
ଦେଖଇ କେତେ ମନ୍ଦିର, ଧାର୍ମିକ
ଲୋକଙ୍କ ହାଟ ମଧ୍ୟରେ ।
କିପରି କୁହ ଭଉଣୀ ଓ ଭାଇ ମୋର,
ଗଳାହାର ହୁଏ ପ୍ରିୟାପ୍ରୀତିର
ସତରେ କିଆଁ ହୋଇ ଥାଏ ଏହି ସବୁ
ଅଶୁଦ୍ଧ ବ୍ୟବହାର ।
ନାହିଁ ପବିତ୍ରତା ଏଠି, ଲାଞ୍ଚ ମିଛରେ
ଚାଲିଛି ଏ ସଂସାର,
ସବୁ ଆଡେ ଠକିବା ମନୋବୃତ୍ତି ହୁଏ
କାର୍ଯ୍ୟକ୍ରମେ ଆମର ।
ମନ୍ଦିର ବେଢ଼ାରେ ଦେଖ ଲାଞ୍ଚୁଆ ଓ
ମିଛୁଆ ଧର୍ଷଣକାରୀ,
ଗଦା ହୋଇଛନ୍ତି ଥାକକୁ ଥାକ ଯେତେ
ସବୁ କଳାବଜାରୀ ।
ରୁଣ୍ଡ ହୁଅନ୍ତି ବରଷା ଯୁଆଡେ ଛତା ସିଆଡେ
ରାଜନୀତିଆ ଯେତେ
ଅବୁଝା ମନଟା ମୋର ବୁଝୁନି, କଅଣ ଶିଖନ୍ତି
ଏକ ହୋଇ ତ ଝୁରନ୍ତି ତୋତେ ।
ଖାଇବାକୁ ମୁଠେ ଅବଢା ତୋହର ମନ୍ଦିର
ଭିତରେ ବଳାଏ ତ ମନ ମୋର
ମନ ମଧ୍ୟେ ଆଚ୍ଛାଦିତ ଚାଲେ କେତେ ବେପାର
ମୁହୂର୍ତ୍ତର ଅନୁଭୂତି ମନ୍ଦିର ଭିତର ।
ସବୁର ହିସାବ ଏଠାରେ ଦେବା ସମୟ ସାପେକ୍ଷ
ପ୍ରତି ମୁହୂର୍ତ୍ତର ଅନୁଭୂତି ନା ନା ପ୍ରକାର
କିନ୍ତୁ କିଛି ସ୍ମୃତି କିଛି ଅନୁଭୂତି ଆନନ୍ଦ ଭରିଛି
ଲିପିବଦ୍ଧ ହୋଇ ରହିଛି ମାନସପଟର ।
ମନଟା ନିର୍ମଳ, ବିଶ୍ୱାସ ରହିଛି, ଯୁଆଡକୁ
ଗଲେ ତୋ ମୁହଁ ଦିଶୁଛି ମୋତେ
ପାଇବାକୁ ଅବଢା, ଟଙ୍କ ତୋରାଣି ମନେ ଥିଲେବି,
ମନ୍ଦିର ଯାଏନା, ଦୋଷ ଦେବେନି ମୋତେ ।
