STORYMIRROR

Jyotsnarani Panda

Tragedy

3  

Jyotsnarani Panda

Tragedy

ଦୋଛକି

ଦୋଛକି

1 min
212


ଅକୁଣ୍ଠିତ ଅକାର୍ପଣ୍ୟ 

ପଣରେ ଫୁଲ ତ ପରଶୁଥିଲା 

ପୁଳା ପୁଳା ସ୍ନେହ 

ଶରଧାରେ ସାଇତିଥିବା 

ପ୍ରୀତି ମଧୁତକ ।।


କେବେ ସରିଯିବାର

ଏକ ସଚେତନପଣ 

ଅବା 

ଅବିଶ୍ଵାସର ଅନ୍ଧାରୁଆ ଭୟ 

ଆଦୌ ନଥିଲା ତା' ମନରେ ।।


ଭ୍ରମର ପାଇଁ ମଧୁ ଯୋଗାଡିବା ତ 

ତା'ର ଚିରାଚରିତ କର୍ମ ।


ମନପ୍ରାଣ ଦେଇ ପ୍ରେମିକର ପାଦତଳେ 

ସେ ସବୁତକ ସମର୍ପିଦେଵା ତ ତା'ର 

ସର୍ବଶ୍ରେଷ୍ଠ ଧର୍ମ

କାହିଁକି ବା ଦ୍ଵିଧା ରଖିଥାନ୍ତା ଅଵା ସଙ୍କୋଚ କରିଥାନ୍ତା ସେ  ମନର ମଣିଷକୁ ଖୁସି ଦେଖିବାରେ ତା'ର ସ୍ଵର୍ଗସୁଖ ।।


ଫୁଲଠାରୁ ଏ ମହାମନ୍ତ୍ର ଶିଖିବାପରେ 

ମୁଁ ତ ଭଲପାଇଲି ତୁମକୁ 

ଅଧିକରୁ ଅଧିକତମ 

ଆହୁରି ଅଧିକ ।।


ତୁମେ କିନ୍ତୁ ବେଶ୍ ଓସ୍ତାଦ୍ ଥିଲ 

ଛଳନା କରିବାରେ

ପ୍ରତାରଣାର ଏକ ସୁନ୍ଦର 

ଜାଲ ବିଛେଇ ଦେଇଥିଲ 

ମୋ ନିରୀହ ହୃଦୟ ଉପରେ

ଠିକ୍ ଶିକାରୀଟିଏ ପରି 

ଖୁଦକଣିକା କିଛି ଥୋଇଦେଇ 

ମୋ ମନର ଅଗଣାରେ ।।


ସବୁ ମହତପଣିଆ ତକ ଶୋଷି ନେଲା ପରେ 

ଫିଙ୍ଗିଦେଲ ଅଳିଆଗଦାକୁ ଏକ

ଅଦରକାରୀ ବସ୍ତୁ ଭାବି ।।


କୁହ ତୁମେ

କୁହ ତୁମେ ବିବେକ !


ଯାହା କଲ କ'ଣ 

ଠିକ୍ କଲ !


ବାସିଫୁଲ କ'ଣ 

ପ୍ରଭୁଙ୍କ ମଥାରେ ଲାଗିପାରେ ?


 ନା !

ସୌନ୍ଦର୍ଯ୍ୟବର୍ଦ୍ଧନ ପାଇଁ 

ଫୁଲଦାନୀରେ କିଏ 

ସଜେଇପାରେ ?


ଦେଖ ଏବେ ,

କେତେ ଅସହାୟ ମୁଁ !


ଦିଗହୀନ ଦୋଛକିରେ 

ଏକ ନିଃସଙ୍ଗ ନକ୍ଷତ୍ରରେ !


ପ୍ରତି ମୂହୁର୍ତ୍ତରେ 

ନିଜକୁ ନିଜେ ଧିକ୍କାରୁଛି

କ୍ଷଣେ ଜିଉଁଛି କ୍ଷଣେ ମରୁଛି !


ପ୍ରେମ କରିବା ଆଗରୁ 

 ପ୍ରେମିକକୁ ତନ୍ନତନ୍ନ କରି

ପରଖିନେଵା କେତେ 

ଗୁରୁତ୍ଵପୂର୍ଣ୍ଣ 

ସବୁକୁ ଏବେ ହୃଦୟଙ୍ଗମ

କରିପାରୁଛି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy