"ଦୀନବନ୍ଧୁ"
"ଦୀନବନ୍ଧୁ"
ଦୀନବନ୍ଧୁ ବୋଲି ଯାହାକୁ କହୁଛ
ଜାଣିଛଟି ସିଏ କିଏ
ବାମ ହାତ କାଣି ଆଙ୍ଗୁଠିରେ ପରା
ପର୍ବତ ଉଠେଇ ଦିଏ ?
ଜାତି ଗୋତ୍ର ଭେଦା ଭେଦ ନାହିଁ ତା'ର
ସମସ୍ତେ ତା ପାଶେ ସମାନ
କେବଳ ଗୋଟିଏ ଜିନିଷ ହିଁ ଲୋଡ଼େ
ଦେଖେ ସେ ଭକତି ଲକ୍ଷଣ ।
ଭାବରେ ବନ୍ଧା ସେ ଭାବର ଠାକୁର
ଦରିଦ୍ର ଯାହାର ବନ୍ଧୁ
ସେଥିପାଇଁ ପରା ନାମ ବହି ଅଛି
କୃପାମୟ ଦୀନବନ୍ଧୁ !
ଭାବକୁ ନିକଟ ଅଭାବକୁ ଦୂର
ଭକତ ଯାହାର ପ୍ରାଣ
ଭକତ ପାଇଁ କି ଆଖିରୁ ଝରଇ
ଯାର ବାରି ଅନୁକ୍ଷଣ ।
ଦୀନବନ୍ଧୁ ଦୀନ ଜନର ନିଜର
ଆତ୍ମାରେ କରିଛି ଘର
ତା ପରି ବନ୍ଧୁ କାହୁଁ ବା ମିଳିବେ
ବିପଦରେ ଉଜାଗର ।
ସଂସାର ଯାହାର ଅଟେ ଖେଳଘର
ଖେଳ ସେ କରାଏ ନୀତି
ଖେଳ ଖେଳି ଯିଏ ଜିତି ନ ପାରିଲା
ପଡଇ ତାରେ ବିପତ୍ତି ।
ଆହେ ଦୀନବନ୍ଧୁ ଦୟାକର ବାରେ
ମା ତାରିଣୀ ଅନୁଷ୍ଠାନେ
ଲେଖକ ଲେଖିକା ହୃଦୟରେ ବାସ
କରିଥିବ ପ୍ରତିକ୍ଷଣେ ।
