ଦଇବ ଆମର ସାହା
ଦଇବ ଆମର ସାହା
ଆସିଅଛି ଶୀତ ପ୍ରକୃତି କୋଳକୁ
ବାଘୁଆ ଜାଡ଼କୁ ନେଇ
ଥରାଇ ଦେଉଛି ହେମାଳରେ ତା'ର
ହେଉନାହିଁ ଜମା ସହି ।
ଧନୀଠୁ ଗରିବ ପିଲାଠାରୁ ବୃଦ୍ଧ
ଥୁରୁଥୁରୁ ମାଘମାସେ
ନାନାଦି ଜାତିର ଶୀତ ପୋଷାକରେ
ଧନିକର ଦେହ ହସେ ।
ଭାଗ୍ୟବଳେ ଆମେ ହେଇଛୁ ଗରିବ
ମନେ ଆମ ଦୁଃଖ ନାହିଁ
ନିଆଁ ଟିକେ ଜାଳି ଶୀତକୁ ଦୁରେଇ
ହସନ୍ତି ଭଉଣୀ ଭାଇ ।
ଲୋଡ଼ା ନାହିଁ ଆମ ଦାମୀ ଶୀତବସ୍ତ୍ର
ଦଇବ ଆମର ସାହା
ଖୁସିରେ ଆଦରି ନେଇଛୁ ସବୁ ତ
ପ୍ରକୃତି ଦେଇଛି ଯାହା ।
