ଦିଅ ହେ ସମ୍ମାନ ଶ୍ରଦ୍ଧା
ଦିଅ ହେ ସମ୍ମାନ ଶ୍ରଦ୍ଧା
ବିଧାତାଙ୍କ ଏଇ ସୁନ୍ଦର ସୃଷ୍ଟିରେ
ନାରୀ ମୁଁ ନୁହେଁ କା' ଅରି,
ସବୁରି କଲ୍ୟାଣ କରିଯାଏ ପରା
କେତେ କେତେ ରୂପ ଧରି ।
ଜନନୀ, ଭଗିନୀ, ଜାୟା, କନ୍ୟା
ଭାବେ
ପରିଚିତା ଧରା ଧାମେ,
ନିଜ ସ୍ୱାର୍ଥ ଭୁଲି ଲାଗି ରହିଥାଏ
ଏ ସୃଷ୍ଟି ମଙ୍ଗଳ କାମେ ।
ଜନନୀ ଭାବରେ ସନ୍ତାନ ପ୍ରସବି
ଛୋଟରୁ କରଇ ବଡ଼,
ସେନେହ, ମମତା ଢାଳିଦେଇ କେବେ
ଦିଏ ପୁଣି ଗାଳି ମାଡ଼ ।
ପିଲାଙ୍କୁ ମଣିଷ କରିବା ପାଇଁକି
ବତାଏ ଉଚିତ ବାଟ,
ସହେ ତାଙ୍କ ଅଳି ଅରଦଳି ଆଉ
ଖୁଆଏ ପୂରାଇ ପେଟ ।
ଭଗିନୀ ରୂପେ ମୁଁ ଭାଇମାନଙ୍କର
ମନାସେ ସକଳ ଶୁଭ,
ସେମାନଙ୍କ ଆଗେ ତୁଚ୍ଛ ଲାଗେ ମୋତେ
ଦୁନିଆର ବଇଭଵ ।
ସାନ ଅବା ବଡ଼ ଯାହା ହୁଏ ପଛେ
ନିଜ କରତବ୍ୟ କରେ,
ବାନ୍ଧିଦିଏ ହାତେ ସୁରକ୍ଷା କବଚ
ପ୍ରତି ରାକ୍ଷୀ ପୁନେଇରେ ।
ଜାୟା ଭାବେ ନିଜ ଜୀବନସାଥୀର
ସଙ୍ଗେ ରହେ ସୁଖେ ଦୁଃଖେ,
ପ୍ରଣୟଦାୟିନୀ ପ୍ରିୟତମା ସାଜି
ନିଦାଘେ ଚନ୍ଦନ ମାଖେ ।
ହାତରେ ମୋ ଥାଏ ରୋଷେଇ କାମଠୁ
ଭଣ୍ଡାର ଘରର ଚାବି,
ସମସ୍ୟାକୁ ସମାଧାନ କରେ କେବେ
ପରାମର୍ଶ ଦିଏ ଭାବି ।
କନ୍ୟା ଭାବେ ଜନ୍ମି ଗୃହ ଅଙ୍ଗନରେ
ଆନନ୍ଦରେ ଖେଳେ ବୁଲେ,
କେବେ ମାଆ ଆଉ ବାପାଙ୍କ ଗଳାରେ
ହାତ ଛନ୍ଦି ସୁଖେ ଝୁଲେ ।
କେବେ ରୁଷିଯାଏ କେବେ ହସିଦିଏ
ଅଳି ଅଝଟ ମୁଁ କରେ,
ସଭିଙ୍କ ଆଦର ସ୍ନେହ, ଶ୍ରଦ୍ଧା ପାଇ
ବିଦା ହୁଏ ଅନ୍ୟ ଘରେ ।
କେବେ କର୍ମଜୀବୀ ନାରୀଟିଏ ମୁହିଁ
କେବେ ଶ୍ରମଜୀବୀ ପୁଣି,
ସମାଜସେବୀ ଯେ ନାରୀନେତ୍ରୀ ହୋଇ
କର୍ତ୍ତବ୍ୟଟି କରେ ଜାଣି ।
ଡାକ୍ତର, ସୈନିକ, ଛାତ୍ରୀ, ବୈଜ୍ଞାନିକ,
ପାଇଲଟ- ଶିକ୍ଷୟିତ୍ରୀ,
ବହୁ ରୂପେ ମୁହଁ ରାଜ୍ୟ, ଦେଶ ଆଉ
ବିଶ୍ୱ ସେବା କରେ ନିତି ।
ମୋ ଗୁରୁତ୍ୱ ବୁଝି ଦିଅ ହେ ସମ୍ମାନ
ସଦିଚ୍ଛା, ସୁରକ୍ଷା-ଶ୍ରଦ୍ଧା,
ତା' ହେଲେ ନିଶ୍ଚୟ ଧରଣୀ ବକ୍ଷରୁ
ଘୁଞ୍ଚିଯିବ ସବୁ ବାଧା ।