ଦି'ବୁନ୍ଦା ଲୁହ
ଦି'ବୁନ୍ଦା ଲୁହ
ନିଜ ସନ୍ତାନର ଖୁସି ପାଇଁ ମାଆ
ଢାଳିଥାଏ କେତେ ଲୁହ
ସବୁ ଦୁଃଖ କଷ୍ଟ ଛାତି ତଳେ ଚାପି
ଦିଏ ଅସୁମାରୀ ସ୍ନେହ ।
ଉପାସ ଭୋକରେ ରହିଥାଏ କେତେ
ନିଜର ସନ୍ତାନ ପାଇଁ
କେତେ ରାତି ତାର ଅନିଦ୍ରାରେ କଟେ
କହି କେ ପାରିବେ ନାହିଁ ।
ଜର ହୋଇଥିଲେ ପାଖରେ ବସି ସେ
ମୁଣ୍ଡକୁ ଆଉଁସୁ ଥାଏ
ରାଗିଯାଇଥିଲେ ଧନ ସୁନା କହି
ବୁଝାଇ ଖୁଆଇ ଦିଏ ।
ମାଆର ସେନେହେ ବଡ଼ ହୋଇ ପିଲା
ନିଜ ଜୀବନକୁ ଗଢେ
ମାଆର ମମତା ଆଶୀର୍ବାଦ ବଳେ
ଆଗକୁ ଆଗକୁ ବଢ଼େ ।
ହେଲେ ସେହି ପିଲା ଅମଣିଷ ସାଜି
ଭୁଲି ଯାଏ ଯଦି ମା'କୁ
ଧିକ ତା ଜୀବନ ମଣିଷ ପଣିଆ
କଳଙ୍କ ସନ୍ତାନ ନାଁ'କୁ ।
ଯଦିବା ସନ୍ତାନ ନିଜ ଖୁସି ପାଇଁ
ଦୁଖାଏ ମାଆର ମୁହଁ
ନିଜ ଅଜଣାତେ ମାଆର ଆଖିରୁ
ଝରେ ଦୁଇବୁନ୍ଦା ଲୁହ ।
ସେ ଲୁହର ମୂଲ୍ୟ ନବୁଝିଲା ଯଦି
ତାହାର ସନ୍ତାନ ହୋଇ
ଏମିତି ସନ୍ତାନ ଜୀବନରେ କେବେ
ଶାନ୍ତିରେ ନପାରେ ରହି ।
