ଧୂର୍ତ୍ତର ଦୃଷ୍ଟି ପାପ ଗଣ୍ଠିଲିରେ
ଧୂର୍ତ୍ତର ଦୃଷ୍ଟି ପାପ ଗଣ୍ଠିଲିରେ
ଶ୍ରୀମଦ୍ ଭଗବତ୍ ଗୀତା କୁହେ,
କ୍ରୋଧାଦ୍ଭବତି ସମ୍ମୋହଃ ସମମ୍ମୋହାତ ସ୍ମୃତିବିଭ୍ରମଃ
ସ୍ମୃତିଭ୍ରଂଶାଦ୍ ବୁଦ୍ଧିନାଶୋ ବୁଦ୍ଧିନାଶାତ୍ ପ୍ରଣଶ୍ୟତି
ମହତ୍ ଜନ କରେ ମହତ ଭାବନା, ତ୍ୟାଗ କରି
ଦ୍ୱେଷ ଈର୍ଷା, ଅବିଶ୍ବାସ ମନରେ ନଥାଏ
ଧୂର୍ତ୍ତ ଯିଏ ତାର ଦୃଷ୍ଟି ସଦା ସର୍ବଦା ପାପ ଗଣ୍ଠିଲିରେ,
ସତ୍ୟ ଧରମକୁ ଦୃଷ୍ଟି ନରଖେ ସିଏ
ତ୍ୟାଗ ବଳିଦାନ ଯେଉଁ ମାନବ ଜୀବନର ଧରମ,
ଜାଗେ ତାଠାରେ ପ୍ରେମର ସ୍ବରୂପ
ଲୋଭ ମୋହ କାମ କ୍ରୋଧ ହିଂସା ଆଚାର ଯାହାର,
ସେ କାହୁଁ ପ୍ରକାଶିବ ନୈସର୍ଗିକ ସରଳ ରୂପ
ମଣିଷକୁ ସେହି ଅମଣିଷ କାହୁଁ ବାନ୍ଧିବ ବିନା ଜାତି
ଧର୍ମ ବିଭେଦ ନଥାଇ ଶାଶ୍ୱତ ପ୍ରେମରେ
ତାହାର ତ ଖଳ ବୁଦ୍ଧି, ବିଭେଦ ବିବାଦ ସୃଷ୍ଟି କରିବା
ପାଇଁ ମନର ମଙ୍ଗ ମୋଡିଥାଏ ସବୁଠାରେ
ଯାହାର ଆତ୍ମୀୟତା, ସେବା, ସ୍ନେହ ଭାବନାର
ଚିନ୍ତାଧାରା ନଥିବ
ସେ ଉଚିତ-ଅନୁଚିତ, ପାପ-ପୁଣ୍ୟ, ନୀତି-ଅନୀତି
ମଧ୍ୟରେ ପ୍ରଭେଦ କି ଦେଖି ପାରିବ
ପ୍ରକୃତି ଦତ୍ତ ନୀତି ମାର୍ଗ ଛାଡ଼ି ଯେତେବେଳେ
ମନୁଷ୍ୟ ଅନୀତିରେ ଚାଲିଥାଏ
ଶାନ୍ତି ବ୍ୟାହାତ ହୋଇ ନିଶ୍ଚିତ ବିରୋଧ, ଦ୍ବେଷ,
ସଂଘର୍ଷ ଉତ୍ପନ୍ନ ହୋଇଥାଏ
ମତାନ୍ଧ ଧର୍ମାନ୍ଧର ଜୀବନେ ମଣିଷତ୍ୱ ସଦା ବନ୍ଦ
ବୋତଲର ସୁଗନ୍ଧ ଅତର ପରି
ଶାଶ୍ୱତ ପ୍ରେମ ଥିବା ମଣିଷର ବ୍ୟକ୍ତିତ୍ୱ ମୁକ୍ତ ମଳୟ
ସୁବାସ, ତୃଷାକୁ ତ ପାରଇ ମାରି
ଦରଦୀ ହୃଦୟ ଯାର ସେ ସିନା ଅନୁଭବ କରିପାରେ
ଭୋକୀର ଭୋକ କଥା
କ୍ଷମତା ଗର୍ବ ଅହଙ୍କାର ମତ୍ତ ମଣିଷ, ମଣିଷ ପଣିଆ
ଯାଇଛି ଭୁଲି, ଭାବିବକି ଶ୍ରମିକର ବ୍ୟଥା
ପ୍ରକୃତି ସମସ୍ତଙ୍କ ପାଇଁ ଆବଶ୍ୟକତାର ସମସ୍ତ
ସାମଗ୍ରୀ ଯୋଗାଇ ରଖିଛି
ଉପଭୋଗର ତୃଷ୍ଣାରେ ଅଳ୍ପ କେତେକ ଲୋଭୀ
ଲୋକ ତାକୁ ମାଡି ବସିଛନ୍ତି
ଧରାରେ ତେଣୁ ଅଧିକାଂଶ ଜନତା ହୋଇଛନ୍ତି
ଦରିଦ୍ର ନିଷ୍ପେଷିତ ଓ ଅଭାବଗ୍ରସ୍ତ
ଏ ତତ୍ତ୍ୟକୁ କହେ ତ କମ୍ୟୁନିଷ୍ଟ, ତେଣୁ ପୁଂଜିର
ପୂଜକ ଗାଳି ଦେବାରେ ବ୍ୟସ୍ତ ।