ଧୂଳି ଖେଳ
ଧୂଳି ଖେଳ
ଧୂଳି ଖେଳ ଶେଷ ହେଲେ ଶାଶୁ ଘର
ଚାଲି ଯାଏ ଗାଆଁ ଝିଅ
ମନରେ ଜାଗ୍ରତ ହୋଇଥାଏ ଚିର
ଗାଆଁ ମାଟି ଧୂଳି ଖେଳ ।
ଶୈଶବ ଜୀବନ ଆରମ୍ଭ କରି ସେ
ଥିଲା ଧୂଳି ଝାଡି ହାତେ
କେତେ ଦୁଃଖ କଷ୍ଟ ସହ୍ୟ କରି ବଞ୍ଚି
ଗଡି ଦାଣ୍ଡ ଧୁଳି ସାଥେ ।
ବିତାଇ ଥାଆନ୍ତି ନାଚି ଖେଳି ଝୁଲି
ବୁଲି ହସି ନାନା ରସେ
ପ୍ରତ୍ୟେକ ଶିଶୁ ର ଜୀବନ ଯାତ୍ରାର
ଧୂଳି ଲେପ ସ୍ନେହ ଦିଶେ ।
ଧୂଳି ଲେପ ମନେ ପିଲାଦିନେ ମଣେ
ଚନ୍ଦନ ଲେପ ପ୍ରକାର
କେଡେ ମନଲୋଭା କେଡେ ସୁଶୀତଳ
ଯଥା ମାଟି ମାଆ କୋଳ ।
ଧୂଳି ଖେଳ ହସ କଉତୁକ ରସ
ଆବେଗ ଗମ୍ଭୀର ସ୍ୱର
ଧୂଳି ଧୂସରିତ ଅବସ୍ଥାରେ ସେତ
ମଣେ ଚିତ୍ତେ ଚମତ୍କାର ।
କେତେ କେତେ ଖୁସି ମଉଜ ଭିତରେ
ବୁଡି ବିଗତ ଦିନରେ
ଯାପି ଥିବା ସ୍ମୃତି ଅନୁଭୁତି ରାଶି
ଭାସି ଆସି ନିରନ୍ତରେ ।
ଯୋଗାଏ ତୃପ୍ତି ର ଆହ୍ୱାନ ମଧୁର
ଆହା କି ଦିବ୍ୟ ଚେତନା
ସ୍ପନ୍ଦନ ତୋଳିବା ସହିତ ଜଡିତ
ଭାବାବେଗ ରେ ଉନ୍ମନା ।
ହୋଇ ଉଠେ ମନ ପ୍ରାଣ ଆକର୍ଷଣ
କରଇ ସ୍ନେହ ପ୍ରେମରେ
ଧୂଳି ମଖା ଅଙ୍ଗ ବାଲ୍ୟ ଜୀବନର
ସ୍ମୃତି , ସ୍ମୃତି ପଟେ ଖେଳେ ।

