ଧୁଆଁ ( କେବେ ଜିତୁ କେବେ ହାରୁ)
ଧୁଆଁ ( କେବେ ଜିତୁ କେବେ ହାରୁ)
ତୋର ନାହିଁ ଆକାର
ଟିକିଏ ମୁକ୍ତ ହେଲେ ତୁ ଖେଳି ଯାଉ ,
ବିସ୍ତାର ହେଉ ଚାରି ଆଡ଼େ
ହୋଇ ଅଦୃଶ୍ୟ ।
ପଦାର୍ଥର ତୁ ଯେ ଏକ ଅବସ୍ଥା
ଏ ସତ୍ୟ କୁ କିଏ ବା ଭୁଲି ପାରିବ
ତୋର ଅଣୁ ଅଣୁରେ ନ ଥାଏ
ବେଶୀ ଆକର୍ଷଣ
କିନ୍ତୁ ତୋ ପାଖେ ବହୁତ୍ କିଛି ଥାଏ ସତ୍ୟ ।
ଏନ୍ତୁଡି ଶାଳରୁ ମଶାଣି ଯାଏ ଥାଉ ତୁ ,
ରୋଷେଇ ଶାଳର ଚୁଲିର ଧୁଆଁରେ ଥାଏ ସ୍ନେହ ,
ପ୍ରେମ ଭରା ମନରେ ତିଆରି ହୁଏ ଖାଦ୍ୟ
ଚୁଲିର ସେ ଧୁଆଁରେ ନ ଥାଏ ଲୁହ ,
ଥାଏ ସ୍ବାମୀ , ପୁଅ , ଝିଅ , ଶାଶୁ , ଶଶୁର ପାଇଁ ଭଲ ପାଇବା
ସେଇଠି ତୁ ହାରି ଯାଉ
ଧୁଆଁର କଷ୍ଟରେ ବି ଖୁସି ଥାଏ ।
ଶୀତ ଦିନେ ନିଆଁ ଉଷୁମେଇ ମିଳେ ଖୁସି
ହେଲେ ସେଇ ନିଆଁ ପରେ ଯେବେ ତୁ ଆସୁ
କୁନି ପିଲାଟି ଆଖି ମକଚି ଚାଲି ଯାଏ
ସେଇଠି ତୁ ଟିକେ ଜିତୁ ଟିକେ ହାରୁ ।
ଠାକୁର ଘରେ ଧୂପରେ ଥାଉ ତୁ
ବାସ୍ନାରେ ଭରି ଦେଉ ଚାରି ଦିଗ
ମନରେ ଆଣୁ ଭକ୍ତି ,
ଆଉ ସେଇଠି ତୁ ହାରି ଯାଉ
ଜିତି ଯାଏ ଭକ୍ତି ।
ଏ ଇ ମଣିଷର ଲୋଭ ପାଇଁ
ଆଧୁନିକତା ଆଡ଼କୁ ଦୌଡ଼ି ବା ପାଇଁ
କାରଖାନା ପରେ କାରଖାନା .
ସେଇଠି ତୋର ପ୍ରଭାବ ଅତି ପ୍ରଖର ।
ତୋ ଦେହେ ଥାଏ ଅଙ୍ଗାରକାମ୍ଳ ,
କଳା ଭସ ଭସ ଧୁଆଁ ଖେଳି ଯାଏ ସବୁ ଦିଗେ
ପ୍ରକୃତି ହୋଇଯାଏ ଅନାନିଶ୍ୱାସି
ପ୍ରଦୂଷଣ ଖେଳି ଯାଏ ଚାରି ଆଡେ଼
ସେଇଠି ତୁ ଜିତିଯାଉ , ହାରିଯାଏ ଆଧୁନିକତା ।
ବଢେ ଯେବେ ଲୋକ ସଂଖ୍ୟା ,
ବଢିଯାଏ ଯାତାୟାତ ,
ବଢ଼ି ଯାଏ ମୋଟର ଯାନ
ଖେଳି ଯାଏ ଚାରି ଆଡ଼େ ଧୁଆଁ ଧୁଆଁ ଧୁଆଁ
ଧୁଆଁ ମୟ ହୋଇଯାଏ ଜଗତ
ସେଇଠି ତୁ ଜିତି ଯାଉ ।
କେବେ ଓଜୋନ ସ୍ତର ରେ ହୁଏ ଛିଦ୍ର
କେବେ ପୁଣି ମହାନଗରୀ ରାସ୍ତା ହୋଇଯାଏ ଅସ୍ଵଚ୍ଛ
ସେଇଠି ବି ତୁ ଜିତି ଯାଉ ।
ତୁ ପୁଣି ଆସୁ ନିଶାରେ
ମଣିଷର ମୁହଁରୁ ଭକ ଭକ ହୋଇ ଆସୁ
ଚିମିନିରୁ ଧୁଆଁ ଯିବା ପରି
ସେ ଧୁଆଁ ରେ କଣା ହୁଏ ଫୁସଫୁସ
ଧିରେ ଧିରେ ଚାଲି ଯାଏ ଜୀବନ
ସେଇଠି ବି ଜିତି ଯାଉ ।
ଶେଷରେ ଆସେ ମଶାଣି
ଥାଏ ତୋର ସେଇଠି ଅତି ନିଷ୍ଠୁର ରୂପ
ସେ ଧୁଆଁ ରେ ଥାଏ ଜଣେ
ଅତି ନିଜର ପୋଡ଼ି ପାଉଁଶ ହେବାର ଗନ୍ଧ
ସେ ଧୁଆଁ ରେ ଥାଏ ହୃଦୟ ଭଙ୍ଗା କ୍ରନ୍ଦନ ର ଅନୁଭବ ।
କିଏ ହରାଏ ବାପା , କିଏ ମା ,
ପୁଣି ଆଉ କିଏ ଆଉ କିଛି ।
ସମ୍ପର୍କର ସବୁ ସ୍ନେହ ସେଇଠି ଧୁଆଁ ରେ ଉଡିଯାଏ
ରହିଯାଏ କେଇ ଖଣ୍ଡ ହାଡ଼ ।
ସେଇଠି ଖାଲି ତୁ ଜିତୁନି
ତୁ ହୋଇ ଯାଉ ଚମ୍ପିୟାନ
ତଥାପି ଏ ସତ କୁ ରଖା ଯାଏ ଛାତିରେ ।
ସତରେ ଧୁଆଁ , ତୋର କେତେ ରୂପ ,
ତୋର କେତେ ବାସ୍ନା , କେତେ ଗନ୍ଧ ,,
ତୁ ବ୍ୟାପି ଛୁ ଚାରି ଆଡେ଼ ,
କେବେ କନ୍ଦଉଛୁ , କେବେ ହସାଉଛୁ ,
କେବେ ଭକ୍ତି ଆଣୁ କେବେ କ୍ରୋଧ l
କେବେ ତୁ ଜିତୁ କେବେ ହାରୂ ।
ତୁ ଧୁଆଁ... ଧୁଆଁ.. ଧୁଆଁ...
